Categories: ଜାତୀୟ

ଛତିଶଗଡ଼ ବସ୍ତରରୁ ଆରମ୍ଭ ହେବ କେଜରିଓ୍ବାଲଙ୍କ ‘ମିଶନ ଇଲେକଶନ’

ନୂଆଦିଲ୍ଲୀ,୧୬।୯: ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଛତିଶଗଡର ବସ୍ତରରେ ପହଞ୍ଚିବେ। ଏଠାରେ ଉଭୟ ମୁଖ୍ୟମନ୍ତ୍ରୀ ଜଗଦଲପୁରର ଐତିହାସିକ ଲାଲବାଗ ପଡିଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ବୈଠକ ପାଇଁ ଆମ ଆଦମୀ ପାର୍ଟି(ଏଏପି) କର୍ମୀମାନେ ସମଗ୍ର ବସ୍ତର ଡିଭିଜନରୁ ୫୦ହଜାରରୁ ଅଧିକ ଜନସମାଗମ କରିବାକୁ ଦାବି କରିଛନ୍ତି। ସେମାନଙ୍କର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଉଭୟ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ଦିନି ପ୍ରାୟ ୨ଟା ୩୦ରେ ଜଗଦଲପୁର ମା’ ଦନ୍ତେଶ୍ୱରୀ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ସେ ଲାଲବାଗ ସଭାସ୍ଥଳରେ ସାଧାରଣ ସଭାକୁ ସିଧାସଳଖ ସମ୍ବୋଧିତ କରିବେ।
ବସ୍ତରରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ରହଣିକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହି ବୈଠକ ସ୍ଥାନରୁ ତାଙ୍କର ଦଶମ ଗ୍ୟାରେଣ୍ଟି ଘୋଷଣା କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ର ବିଲାସପୁର ଏବଂ ରାୟପୁରରେ ନିର୍ବାଚନ ଘୋଷଣା କରିବାବେଳେ ସେ ୯ ଟି ଗ୍ୟାରେଣ୍ଟି ଦେବାକୁ ପ୍ରତିଶୃତି ଦେଇଛନ୍ତି। ଶନିବାର ବସ୍ତରର କୃଷକ ଏବଂ ବାସିନ୍ଦାଙ୍କ ପାଇଁ ଦଶମ ଗ୍ୟାରେଣ୍ଟି ଘୋଷଣା କରିବାର ଆଲୋଚନା ହେଉଛି।

Share