Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ କେଜରିଓ୍ବାଲ୍‌ଙ୍କ ନିବେଦନ: ଆମ ମନ୍ତ୍ରୀମାନଙ୍କୁ ଏକାଠି କରନ୍ତୁ ଗିରଫ

ନୂଆଦିଲ୍ଲୀ,୨।୬: ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜରିୱାଲ କହିଛନ୍ତି, ଇଡି ସହାୟତାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଏକ ମିଛ ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଯାଇଛି। ଏବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରୁଛି, ସେ ଆମ ମନ୍ତ୍ରୀମାନଙ୍କୁ ଗୋଟିଏ ପରେ ଗୋଟିଏ ନୁହେଁ ବରଂ ଏକାଠି ଗିରଫ କରନ୍ତୁ। ଗିରଫଦାରିକୁ ଆମେ ଭୟ କରୁନାହୁଁ।
ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆସନ୍ତା କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ମନୀଷ ସିସୋଡିଆଙ୍କୁ ମଧ୍ୟ ଗିରଫ କରିବାକୁ ଯାଉଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ମନୀଷଙ୍କ ବିରୋଧରେ କିଛି ନକଲି ମାମଲା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ସମସ୍ତ ଅନୁସନ୍ଧାନକାରୀ ସଂସ୍ଥାକୁ କହିଛନ୍ତି। ମନୀଷ ହେଉଛନ୍ତି ସର୍ବୋତ୍ତମ ଶିକ୍ଷା ମନ୍ତ୍ରୀ। ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ୧୮ ଲକ୍ଷ ପିଲା ଅଧ୍ୟୟନ କରନ୍ତି, ମନୀଷ ଜୀ ଏହି ପିଲାମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭରସା ଦେଇଛନ୍ତି। ମୁଁ ଭାବୁଛି ସତ୍ୟେନ୍ଦ୍ର ଜୈନ ଏବଂ ମନୀଷଙ୍କୁ ମିଛ ମାମଲାରେ ଜେଲରେ ରଖି ଏମାନେ ଦିଲ୍ଲୀର ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କରାଯାଉଥିବା ଭଲ କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଛନ୍ତି। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ତାହା ହେବାକୁ ଦେବି ନାହିଁ। ଭଲ କାମ ଜାରି ରହିବ।
କେଜରିୱାଲ ଆହୁରି ମଧ୍ୟ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ହାତଯୋଡି ଅନୁରୋଧ କରୁଛି, ଗୋଟିଏ ପରେ ଗୋଟିଏ ଜେଲରେ ରଖିବା ପରିବର୍ତ୍ତେ ଆପଣ ସମସ୍ତ ଏଏପି ମନ୍ତ୍ରୀ, ବିଧାୟକଙ୍କୁ ଜେଲରେ ରଖନ୍ତୁ।
ସୂଚନାଯୋଗ୍ୟ, ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୋମବାର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସତ୍ୟେନ୍ଦ୍ରଙ୍କୁ ଦିଲ୍ଲୀ କୋର୍ଟ ଦ୍ୱାରା ୯ ଜୁନ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି।

Share