Categories: ଜାତୀୟ

ଉତ୍ତରାଖଣ୍ଡ ବେକାରି ଯୁବକଙ୍କ ପାଇଁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୯ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଦିବସୀୟ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କୁହାଯାଉଥିଲା କି ତୃତୀୟ ଥର ଲାଗି ଉତ୍ତରାଖଣ୍ଡ ଆସୁଥିବା ମୁଖ୍ୟମନ୍ତ୍ରୀ କେଜରିୱାଲ ବେକାରୀ ସମସ୍ୟାକୁ ନେଇ ବଡ ଘୋଷଣା କରି ପାରନ୍ତି । ତାହାହିଁ ହୋଇଛି । ରବିବାର କେଜରିୱାଲ ହଲଦ୍ୱାନୀଠାରେ କହିଛନ୍ତି ଉତ୍ତରାଖଣ୍ଡରେ ଏଏପି ସରକାର ଆସିଲେ ରାଜ୍ୟରେ ରୋଜଗାରର କ୍ଷମତାକୁ ବଢାଯିବ । ରୋଜଗାରର ମାଧ୍ୟମ ବଢାଇବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । କେଜରିୱାଲ କହିଛନ୍ତି ଉତ୍ତରାଖଣ୍ଡରେ ଏଏପି ସରକାର ଗଠନ କଲେ ୬ ମାସ ମଧ୍ୟରେ ୧ ଲକ୍ଷ ଚାକିରି ଯୋଗାଇ ଦିଆଯିବ । ଯେଉଁ ବେକାର ଯୁବକଙ୍କୁ ଚାକିରି ମିଳିବାରେ ବିଳମ୍ବ ହେଉଥିବ ସେମାନଙ୍କୁ ମାସକୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥାବି କରାଯିବ ବୋଲି କେଜରିୱାଲ କହିଛନ୍ତି । ଯୁବକଙ୍କୁ ରୋଜଗାର ଦେବା ଓ ପଳାୟନ ରୋକିବା ପାଇଁ ଅଲଗା ମନ୍ତ୍ରଣାଳୟ ଗଠନ କରାଯିବ । ସରକାରୀ ଓ ଘରୋଇ ସଂସ୍ଥାରେ ୮୦ ପ୍ରତିଶତ ଚାକିରି ଉତ୍ତରାଖଣ୍ଡ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ ବୋଲି କେଜରିୱାଲ କହିଛନ୍ତି ।

Share