Categories: ଜାତୀୟ

ଆପଣ ‘ଜେଲ୍‌ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୧୮।୫: ଏଏପି ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଏଏପି ସୁପ୍ରିମୋ। ଏପରିକି ରବିବାର ଦଳର ସମସ୍ତ ନେତା ଭାଜପା ମୁଖ୍ୟାଳୟ ଘେରାଉ କରିବେ ବୋଲି ସେ ଘୋଷଣା କରିଛନ୍ତି।

ଏକ ଖବରଦାତା ସମ୍ମିଳନୀରେ କେଜ୍‌ରିଓ୍ବାଲ କହିଛନ୍ତି, ଆପଣ ଦେଖିପାରୁଥିବେ କିଭଳି ଭାବେ ଭାଜପା ଏଏପି ପଛରେ ପଡ଼ିଛି। ଜଣଙ୍କ ପରେ ଜଣେ ନେତାଙ୍କୁ ଜେଲକୁ ପଠାଯାଉଛି। ସେମାନେ ମୋତେ, ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ ଏବଂ ସଞ୍ଜୟ ସିଂଙ୍କୁ ଜେଲ ପଠାଇଛନ୍ତି। ଆଜି ସେ ମୋର ପିଏଙ୍କୁ ଜେଲ ପଠାଇଛନ୍ତି। ଏବେ କହୁଛନ୍ତି ରାଘବ ଚଢ୍ଢା, ଆତିଶି ଏବଂ ସୌରଭ ଭରଦ୍ୱାଜଙ୍କୁ ଜେଲକୁ ପଠାଇବେ। ବୋଧହୁଏ ଦିଲ୍ଲୀରେ ସ୍କୁଲ, କଲୋନୀ କ୍ଲିନିକ୍‌, ମାଗଣା ବିଜୁଳି ଦେବା ଆମ ଭୁଲ, ସେମାନେ ଏଭଳି କରିବାରେ ଅସମର୍ଥ ଅଟନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବାକୁ ଚାହୁଁଛି- ଆପଣ ଏଭଳି ‘ଜେଲର ଖେଳ’ ଖେଳୁଛନ୍ତି। ମୁଁ କାଲି ଅପରାହ୍ନ ୧୨ଟାରେ ସମସ୍ତ ନେତା, ବିଧାୟକ ଏବଂ ଏମ୍‌ପିଙ୍କ ସହ ଭାଜପା ମୁଖ୍ୟାଳୟ ଆସୁଛି। ଆପଣ ଯାହାକୁ ଚାହିଁବେ ତାକୁ ଜେଲରେ ଭର୍ତ୍ତି କରାଇଦେଇପାରିବେ।

କହିରଖୁଛୁ, କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବଙ୍କୁ ସ୍ବାତୀ ମାଲିଓ୍ବାଲଙ୍କ ଉପରେ କଥିତ ଆକ୍ରମଣ ମାମଲାରେ ଶନିବାର ଗିରଫ କରାଯାଇଛି। ଏହାକୁ ଏଏପି ଷଡଯନ୍ତ୍ର ବୋଲି କହିବା ସହ ମାଲିଓ୍ବାଲଙ୍କୁ ବ୍ଲାକମେଲ୍‌ କରାଯାଉଥିବା ଦାବି କରିଛି। କାରଣ ତାଙ୍କ ଉପରେ ଦୁର୍ନୀତି ସହ ଜଡ଼ିକ ଏକ ମାମଲା ଚାଲିଛି।

Share