ରାଜଧାନୀରେ ଡରାଉଛି କରୋନା: ଗତ ୨୪ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୬: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ୨୪ ଘଣ୍ଟାରେ ୧,୦୬୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚିନ୍ତାର ବିଷୟ ହେଉଛି ଯେ, ସଂକ୍ରମଣ ହାର ୧୦ପ୍ରତିଶତ ଅତିକ୍ରମ କରିସାରିଛି। ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ହାର ୧୦.୦୯ପ୍ରତିଶତ ରହିଛି। ଗତ କିଛି ଦିନରୁ ଏହି ସଂଖ୍ୟା ୬ରୁ ୭ ପ୍ରତିଶତ ମଧ୍ୟରେ ରହୁଥିଲା। ହେଲେ ଗୋଟିଏ ଦିନରେ ସଂକ୍ରମଣ ହାର ବୃଦ୍ଧି ପାଇଥିବା ନଜର ଆସିଛି। ରବିବାର ଦିଲ୍ଲୀରେ ୧,୫୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ସୂଚନା ମୁତାବକ, ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦,୫୦୬ କରୋନା ଟେଷ୍ଟ କରାଯାଇଛି। ସେଥିମଧ୍ୟରେ ୯,୧୭୬ ଆରଟିପିସିଆର ଓ ୧,୩୩୦ ଆଣ୍ଟିଜେନ ଟେଷ୍ଟ ରହିଛି। ଏଭଳି ସ୍ଥିତିରେ କମ୍‌ ପରୀକ୍ଷଣ ସତ୍ତ୍ୱେ ସଂକ୍ରମଣ ହାର ୧୦ପ୍ରତିଶତରୁ ଅଧିକ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଜଣାପଡ଼ୁଛି ଯେ, ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଅନ୍ୟପଟେ ମହାରାଷ୍ଟ୍ରରେ ବି କରୋନା ମିଟର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଏବେ ସମସ୍ତଙ୍କୁ ଭୟଭୀତ କରାଉଛି।

Share