ନୂଆଦିଲ୍ଲୀ,୨।୫: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନରୁ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ସୋମବାର ଏହି ସଂଖ୍ୟା ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୭୬ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୬.୪୨ପ୍ରତିଶତ ରହିଛି। ବର୍ତ୍ତମାନ ରାଜ୍ୟରେ ମୋଟ ୫୭୪୪ସକ୍ରିୟ ମାମଲା ରହିଥିବା ବେଳେ ହସ୍ପିଟାଲରେ ୧୭୮ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ୧୬,୭୫୩ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୧୦୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଲଗାତର କରୋନା ଟେଷ୍ଟିଂ କମୁଥିବାରୁ କରୋନା ମାମଲା ହ୍ରାସ ପାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।