ମାସ୍କ ପିନ୍ଧିବିନି, ସ୍ବାମୀଙ୍କୁ ରାସ୍ତା ମଝିରେ ଚୁମ୍ବନ ଦେବି ବୋଲି କହିଥିଲେ ମହିଳା; ୨୪ ଘଣ୍ଟାରେ ବଦଳିଗଲା…

ନୂଆଦିଲ୍ଲୀ,୨୦।୪: ମାସ୍କ ନ ପିନ୍ଧିବାକୁ ନେଇ ଦିଲ୍ଲୀ ପୋଲିସ ସହ ଦୁର୍ବବ୍ୟହାର କରିବା ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ଦମ୍ପତି ପଙ୍କଜ ଦତ୍ତା ଓ ଆଭା କାର ଚଳାଇ ଯାଉଥିଲେ। ତାଙ୍କ ନିକଟରେ କୌଣସି ଜରୁରୀକାଳିନ ପାସ୍‌ ନ ଥିବା ବେଳେ ସେମାନେ ମାସ୍କ ପିନ୍ଧି ନ ଥିଲେ। ପୋଲିସ ଉଭୟଙ୍କୁ ଅଟକାଇବାରୁ ସେମାନେ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଶେଷରେ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ସୋମବାର ସେମାନଙ୍କୁ ଜେଲ ପଠାଇଦିଆଯାଇଛି।

ଭିଡିଓରେ ଆଭା ମୁଁ କେବେ ବି ମାସ୍କ ପିନ୍ଧିବି ନାହିଁ। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋର କ’ଣ କରିବେ। ଏବେ ବିନା ମାସ୍କରେ ମୋ ସ୍ବାମୀଙ୍କୁ ଚୁମ୍ବନ ଦେବି। କରୋନା ବୋଲି କିଛି ନାହିଁ। ତୁମେମାନେ ଲୋକଙ୍କୁ ଫାଲ୍‌ତୁରେ ହଇରାଣ କରୁଛ ବୋଲି କହିଥିଲେ। ଏବେ କିନ୍ତୁ ସେ ଗିରଫ ହେବା ପରେ ସବୁଦୋଷ ସ୍ବାମୀଙ୍କର ବୋଲି କହିଛନ୍ତି। ଘଟଣାଦିନ ସ୍ବାମୀଙ୍କ ସହ ଝଗଡ଼ା କରିଥିବା ହେତୁ ତାଙ୍କୁ ମନୋସ୍ଥିତି ଠିକ୍‌ ନ ଥିଲା। ଏଣୁ ସେ ପୋଲିସକର୍ମୀଙ୍କ ସହ ବଚସା କରିଥିବା ସଫେଇ ଦେଇଛନ୍ତି।

ଦିଲ୍ଲୀ ମଧ୍ୟର ପୋଲିସ ଡେପୁଟି କମିଶନର ଜସମୀତ ସିଂହ କହିଛନ୍ତି, ଦରିଆଗଞ୍ଜ, ଦିଲ୍ଲୀ ଗେଟ୍‌ ନିକଟରେ ଏହି ଘଟଣା ଘଟିଥିଲା। ଜଣେ ମହିଳା ଓ ପୁରୁଷ କର୍ଫ୍ୟୁ ସମୟରେ କାର୍‌ ଯୋଗେ ଆସୁଥିଲେ। ଡ୍ୟୁଟିରେ ଥିବା ପୋଲିସକର୍ମୀ ତାଙ୍କୁ ରୋକିଥିଲେ। ଡ୍ୟୁଟି ପାସ୍‌ ଦେଖାଇବାକୁ କହିଥିଲେ। ହେଲେ ସେମାନଙ୍କ ପାଖରେ ତାହା ନ ଥିଲା। ଏପରିକି ଉଭୟ ମାସ୍କ ବି ପିନ୍ଧି ନ ଥିଲେ। ସରକାର ନିର୍ଦ୍ଦେଶାନୁଯାୟୀ ମାସ୍କ ପିନ୍ଧିବା ଉଚିତ ବୋଲି ତାଙ୍କୁ କୁହାଯିବା ପରେ ଦମ୍ପତି ଗାଡ଼ିରୁ ବାହାରକୁ ଆସି ପୋଲିସକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ।

Share