Categories: ଜାତୀୟ

ସ୍ପାଇସ୍‌ଜେଟ୍‌ ବିମାନରେ ଘଣ୍ଟାଏ ଯାଏ ଚାଲିଲା ନାହିଁ AC, ଗରମରେ ଅଣନିଶ୍ୱାସୀ ହେଲେ ଯାତ୍ରୀ, Video

ନୂଆଦିଲ୍ଲୀ,୧୯।୬: ବିମାନରେ କାମ କଲା ନାହିଁ ଏସି। ଫଳରେ ଝାଳରେ ତିନ୍ତିଲେ ଲୋକେ। ଏଭଳି ଏକ ଘଟଣା ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଘଟିଛି।
ବୁଧବାର ଏସ୍‌ଜି-୪୮୬ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅପେକ୍ଷା କରିଥିଲା। ପ୍ରାୟ ଏକ ଘଣ୍ଟା ଧରି ଯାତ୍ରୀ ଟେକ୍‌ ଅଫ୍‌ ପାଇଁ ଅପେକ୍ଷା କରି ରହିଥିବା ବେଳେ ଏସି ଚାଲି ନ ଥିଲା। ଏନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ ହେଁ ସମାଧାନ ହୋଇ ନ ଥିଲା। ଫଳରେ ଏଭଳି ସ୍ଥିତି ଉପୁଜିଥିଲା ଯେ ବାଧ୍ୟ ହୋଇ ଲୋକେ ପାଖରେ ଥିବା କାଗଜ, ମାଗାଜିନ୍‌, ପାମ୍ପଲେଟ୍‌କୁ ବିଞ୍ଚଣା ଭଳି ବ୍ୟବହାର କରିଥିଲେ। ଏପରି ପ୍ରବଳ ଗରମ ହେତୁ କିଛି ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ଭେଣ୍ଟିଲେଶନ ଅଭାବ ଯୋଗୁ ବୃଦ୍ଧ ଏବଂ ଛୋଟ ପିଲା ଅଣନିଶ୍ୱାସୀ ହୋଇପଡ଼ିଥିଲେ।
ତେବେ ଘଟଣାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଚେକ୍‌ଇନ୍‌ର ଏକ ଘଣ୍ଟା ଯାଏ ଏସି ସୁଇଚ୍‌ ଅନ୍‌ କରାଯାଇଥିବା ଅଭିଯୋଗ କରିଛନ୍ତି। ପରେ ବିମାନ ଉଡାଣ ଭରିବା ପରେ ଏସି ସୁଇଚ୍‌ ଅନ୍‌ କରାଯାଇଥିଲା ବୋଲି କିଛି କହିଛନ୍ତି। ତେବେ ଘଟଣାର ଭିଡିଓ ଭାଇରାଲ ହେଉଥିଲେ ହେଁ ଏନେଇ ବିମାନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆସିନାହିଁ।

Share