Categories: ଜାତୀୟ

କରାଚୀରେ ଜରୁରୀକାଳିନ ଅବତରଣ କଲା ଦିଲ୍ଲୀ-ଦୋହା ଫ୍ଲାଇଟ୍‌

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀରୁ ଦୋହା ଯାଉଥିବା କାତାର ଏୟାରଓ୍ବେଜର ଏକ ଫ୍ଲାଇଟ୍‌ ପାକିସ୍ତାନର କରାଚୀ ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ତେବେ ବିମାନରେ ଟେକ୍‌ନିକାଲ ସମସ୍ୟା ଯୋଗୁ ବିମାନର ରୁଟ୍‌ ବଦଳି ଥିବା କୁହାଯାଇଛି। ଫ୍ଲାଇଟ୍‌ କ୍ୱିଆରଏସ୍‌୫୭୯ରେ ୧୦୦ରୁ ଅଧିକ ଯାତ୍ରୀ ଅଛନ୍ତି।

ଜଣେ କାର୍ଡିଓଲୋଜିଷ୍ଟ ଫ୍ଲାଇଟ୍‌ରେ ଯାତ୍ରୀଙ୍କ ପରିସ୍ଥିତି ଉପରେ ଟୁଇଟ୍‌ କରି ଲେଖିଛନ୍ତି, “କରାଚୀକୁ ଡାଇଭର୍ଟ କରାଯାଇଥିବା ଦିଲ୍ଲୀରୁ ଦୋହା କ୍ୱିଆର୍‌ଏସ୍‌୫୭୯ ଫ୍ଲାଇଟ୍‌ର ଷ୍ଟାଟସ କ’ଣ? କିଛି ସୂଚନା ଦିଆଯାଉ ନାହିଁ। ଫ୍ଲାଇଟ୍‌ରେ ଫସିଥିବା ଯାତ୍ରୀଙ୍କୁ ଖାଦ୍ୟ କିମ୍ବା ପାଣି ମଧ୍ୟ ମିଳୁନାହିଁ। କଷ୍ଟମର କେୟାର ପାଖରେ କିଛି ଉତ୍ତର ନାହିଁ। ଦୟାକରି ସାହାଯ୍ୟ କରନ୍ତୁ”।

ଅନ୍ୟ ଏକ ଭିଡିଓ ବାର୍ତ୍ତାରେ ଜଣେ ଯାତ୍ରୀ ରମେଶ ରାଲିୟା କହିଛନ୍ତି, ଅନେକ ଯାତ୍ରୀଙ୍କୁ ଦୋହାରୁ ଅନ୍ୟତ୍ର ଫ୍ଲାଇଟ ନେବାର ଥିଲା। କିନ୍ତୁ କରାଚୀରୁ ଏହି ଫ୍ଲାଇଟ୍‌ କେତେବେଳେ ଟେକ୍‌ ଅଫ୍‌ କରିବ ଜଣା ନାହିଁ। ସୋମବାର ସକାଳ ୩ଟା ୫୦ରେ ଦିଲ୍ଲୀରୁ ଟେକଅଫ୍‌ କରିଥିବା ଏହି ବିମାନ କରାଚୀରେ ସକାଳ ୫ଟା ୩୦ରେ ଅବତରଣ କରିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଅପେକ୍ଷା କରିବାକୁ କୁହାଯାଇଥିଲା। ସକାଳ ୯ଟା ହେଲାଣି ଏପର୍ଯ୍ୟନ୍ତ ଫ୍ଲାଇଟ୍‌ କେବେ ଟେକ୍‌ ଅଫ୍‌ କରିବା କହୁ ନାହାନ୍ତି ବୋଲି ସେ କହିଛନ୍ତି।

Share