ପରିବେଶ ମନ୍ତ୍ରୀ ଗୋପାଲ ରାୟ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୨୬।୧୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହା କବଳରୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଭିଭିଆଇପି ମଧ୍ୟ ବର୍ତ୍ତି ପାରିନାହାନ୍ତି। ଏହି କ୍ରମରେ ଦିଲ୍ଲୀରେ ପରିବେଶ ମନ୍ତ୍ରୀ ତଥା ଆପ୍‌ ନେତା ଗୋପାଲ ରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଗୋପାଲ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ନିକଟରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବାରୁ ସେ ପରୀକ୍ଷା କରାଇଥିଲେ। ତେବେ ଗୁରୁବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ତେବେ ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଯତ୍ନ ନେବା ସହ ପରୀକ୍ଷା କରାଇ ନିଅନ୍ତୁ ବୋଲି ଗୋପାଲ ରାୟ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫ହଜାରରୁ ଉର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଏଥିରେ ୯୯ଜଣଙ୍କ ମୃତ୍ୟୁ ଘଟିଛି। ଆସନ୍ତା ନଭେମ୍ବର ୨୦ରୁ ୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନାରେ ମୃତ୍ୟୁ ହେଉଥିବା ଜଣାପଡ଼ିଛି।

Share