Categories: ଜାତୀୟ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦିନେଶ ହେବେ ସରକାରୀ ସାକ୍ଷୀ

ନୂଆଦିଲ୍ଲୀ,୭।୧୧: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟବସାୟୀ ଦିନେଶ ଆରୋରା ସରକାରୀ ସାକ୍ଷୀ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏନେଇ ସିବିଆଇ ସୋମବାର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଆବେଦନ କରିଛି। ଏହି ଆବେଦନରେ କୁହାଯାଇଛି ଯେ, ଦିନେଶ ସରକାରୀ ସାକ୍ଷୀ ହେବାକୁ ଚାହୁଁଛନ୍ତି। ଅନ୍ୟପଟେ ଏହା ସିସୋଡିଆଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ମାମଲାର ସାକ୍ଷୀ ଭାବେ ଆରୋରାଙ୍କୁ ଆଗୁଆ ଜାମିନରେ ନେବା ଲାଗି ସିବିଆଇ ଅଦାଲତଙ୍କ ଅନୁମତି ଲୋଡ଼ିଛି। ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କ ସହ ବ୍ୟବସାୟୀ ଆରୋରାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ନୂଆ ଅବକାରୀ ନୀତିରେ ମଦ ଲାଇସେନ୍ସ ପ୍ରଦାନରେ ହୋଇଥିବା ଅର୍ଥ କାରବାର ସହ ସେ ସମ୍ପୃକ୍ତ ଥିଲେ। ତେବେ କମିଶନ କାରବାରରେ ସେ ଲାଭବାନ୍‌ ହୋଇ ନ ଥିଲେ। ସେ ତଦନ୍ତରେ ସହଯୋଗ କରୁଥିବା ସିବିଆଇ କହିଛି।

Share