Categories: ଜାତୀୟ

ଦିଲ୍ଲୀ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ବିବାଦରୁ ଊର୍ଦ୍ଧ୍ୱରେ ରହିବାକୁ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ରାଜନୈତିକ ବିବାଦରୁ ଊର୍ଦ୍ଧ୍ୱରେ ରହିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଦିଲ୍ଲୀ ସରକାରଙ୍କର ଏହାର ପ୍ରଶାସନିକ ଅଧିକାରୀଙ୍କ ଉପରେ ଅଧିକ ନିୟନ୍ତ୍ରଣ ରହିବା ନେଇ ସର୍ବୋଚ୍ଚ ଅଦାଲତ ରାୟ ଦେଇଥିବାବେଳେ ଏହାକୁ ଅକାମୀ କରିବା ପାଇଁ କେନ୍ଦ୍ର ସରକାର ବିବାଦୀୟ ଅଧ୍ୟାଦେଶ ଆଣିଥିଲେ। ଏହାକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂରକରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ବିଦ୍ୟୁତ୍‌ ନିୟାମକ ଆୟୋଗ (ଡିଇଆର୍‌ସି) ନିଯୁକ୍ତ ନିମନ୍ତେ ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏକାଠି ବସି ସହମତିରେ ପ୍ରାର୍ଥୀ ଦେବା ପାଇଁ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଥିଲେ। ଉପରାଜ୍ୟପାଳଙ୍କ ଓକିଲ ହରିଶ ସାଲ୍‌ଭେ ଅଦାଲତଙ୍କ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି। ଡିଇଆର୍‌ସିରେ କେହି ଅଧ୍ୟକ୍ଷ ନ ଥିବା ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିବା ପରେ ଅଦାଲତ ଉପରୋକ୍ତ ପ୍ରସ୍ତାବ ଦେଇଥିଲେ।
ଅଧ୍ୟାଦେଶ ସ୍ଥାନରେ କେନ୍ଦ୍ର ସରକାର ଆଗାମୀ ପାର୍ଲାମେଣ୍ଟ ଅଧିବେଶନରେ ବିଲ୍‌ ଆଗତ କରିବେ ବୋଲି ସତ୍ୟପାଠ ଦାଖଲ କରିଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ। ଅଧ୍ୟାଦେଶକୁ ଚ୍ୟାଲେଞ୍ଜକରି ଦାଏର ଦ୍ୱିତୀୟ ପିଟିଶନର ଶୁଣାଣି ପରେ ଅଦାଲତ ନୋଟିସ ଜାରି କରିବା ସହ ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଇବେ। ଗୁରୁବାର ଏହାର ପରବର୍ତ୍ତୀ ଶୁଣାଣି ହେବ।

Share