Categories: ଜାତୀୟ

ବିଏନ୍‌ଏସ୍‌ରୁ ଧାରା ୩୭୭ ଅନୁରୂପ ବ୍ୟବସ୍ଥା ହଟାଯିବା ବିରୋଧରେ ପିଆଇଏଲ୍‌

ନୂଆଦିଲ୍ଲୀ,୧୪ା୮(ପି.ଟି.): ଭାରତୀୟ ଦଣ୍ଡ ସଂହିତା (ଆଇପିସି) ବଦଳରେ ନୂତନ ଭାବେ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ରେ ଅପ୍ରାକୃତ ଯୌନକ୍ରିୟା ଅପରାଧ ପାଇଁ ରହିଥିବା ଦଣ୍ଡବ୍ୟବସ୍ଥା ହଟାଯାଇଥିବାରୁ ଏହାକୁ ବିରୋଧ କରି ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଉପରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସରକାର ଏହା ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅଦାଲତ କହିଛନ୍ତି। ଅସହମତିରେ ଅପ୍ରାକୃତ ଯୌନ ସମ୍ପର୍କ ମାମଲାରେ ଆଇନ ପ୍ରଣୟନ କଲାବେଳେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ୍‌ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ କହିଛନ୍ତି। ଏନେଇ କେନ୍ଦ୍ର ସରକାର ପରାମର୍ଶ ଗ୍ରହଣ କରିବା ପାଇଁ ଅଦାଲତ ସମୟ ଦେବା ସହ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮କୁ ଧାର୍ଯ୍ୟ କରିଛନ୍ତି। ବିଏନ୍‌ଏସ୍‌ରେ ରହିଥିବା ତ୍ରୁଟି ସଂଶୋଧନ ଲାଗି ଆଇନଜୀବୀ ଗନ୍ତବ୍ୟ ଗୁଲାଟି ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ଆଇପିସିର ଧାରା ୩୭୭ ଅନୁରୂପ କୌଣସି ବ୍ୟବସ୍ଥା ବିଏନ୍‌ଏସ୍‌ରେ ନ ଥିବାରୁ ଯେକୌଣସି ବ୍ୟକ୍ତି ବିଶେଷ କରି ଏଲ୍‌ଜିବିଟିକ୍ୟୁ ବର୍ଗ ପ୍ରଭାବିତ ହେବେ ବୋଲି ଆଇନଜୀବୀ ପିଟିଶନ୍‌ରେ ଦର୍ଶାଇଥିଲେ।

Share