Categories: ଜାତୀୟ

ବାରମ୍ବାର ‘ସାର୍‌’ ଡାକ ଶୁଣି ରାଗିଗଲେ ମହିଳା ବିଚାରପତି,କହିଦେଲେ ଏମିତି

ନୂଆଦିଲ୍ଲୀ,୧୮।୨:ଦିଲ୍ଲୀ ହାଇକୋର୍ଟରେ ଏକ ରୋଚକ ଘଟଣା ଘଟିଛି। ଜଣେ ଓକିଲ ମହିଳା ବିଚାରପତିଙ୍କୁ ବାରମ୍ବାର ‘ସାର୍‌’ କହି ସମ୍ବୋଧିତ କରିଥିଲେ। ଏଥିରେ ବିଚାରପତି ରାଗିଯାଇ କହିଥିଲେ ମୁଁ ସାର୍‌ ନୁହେଁ, ଆଶା କରୁଛି ଆପଣ ବୁଝିପାରୁଥିବେ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୂଚନାଯୋଗ୍ୟ,ରେଖା ପଲ୍ଲୀ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି। ନିକଟରେ ସେ ଏକ ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ଓକିଲ ତାଙ୍କୁ ବାରମ୍ବାର ‘ସାର୍‌’ ବୋଲି ସମ୍ବୋଧନ କରୁଥିଲେ। ବାରମ୍ବାର ‘ସାର୍‌’ ଡାକ ଶୁଣିବା ପରେ ସେ ରାଗି ଯାଇଥିଲେ। ରେଖା ଓକିଲଙ୍କୁ କାର୍ଯ୍ୟରେ ବାଧା ଦେଇ କହିଥିଲେ ମୁଁ ଆଶା କରେ ଆପଣ ବୁଝିପାରିବେ ଯେ ମୁଁ ସାର୍‌ ନୁହେଁ। ଏହା ଉପରେ ଓକିଲ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ ଆପଣ ବସିଥିବା ଚେୟାର ହେତୁ ମୁଁ ‘ସାର୍‌’ ବୋଲି କହିଥିଲି।
ଓକିଲଙ୍କ ଉତ୍ତରରେ ରେଖା ଅଧିକ ରାଗିଯାଇଥିଲେ। ସେ କହିଛନ୍ତି ଯେ ଚେୟାର ହେତୁ ’ସାର୍‌’ ସମ୍ବୋଧନ କରିବା ଆହୁରି ଖରାପ। କାରଣ ଚେୟାର କେବଳ ‘ସାର୍‌’ ମାନଙ୍କ ପାଇଁ ନୁହେଁ। ଏହି ବାହାନା କୌଣସି ପ୍ରକାରେ ଯଥାର୍ଥ ନୁହେଁ। କାରଣ ଏତେ ଦିନ ପରେ ମଧ୍ୟ ତୁମେ ଭାବୁଛ ଯେ ଚେୟାରଟି କେବଳ ‘ସାର୍‌’ଙ୍କ ପାଇଁ । ଯଦି ଯୁବ ସଦସ୍ୟମାନେ ଏହି ପାର୍ଥକ୍ୟ କରିବା ବନ୍ଦ କରନ୍ତି ନାହିଁ, ତେବେ ଭବିଷ୍ୟତରେ ଆମେ କ’ଣ ଆଶା କରିବା ବୋଲି ସେ ପ୍ରଶ୍ନ କରିଛନ୍ତି।

Share