ନୂଆଦିଲ୍ଲୀ,୧୮ ।୮: କେନ୍ଦ୍ର ଓ ବିହାର ସରକାରରେ ମନ୍ତ୍ରୀ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶାହନବାଜ ହୁସେନଙ୍କୁ ବଡ ଝଟ୍କା ଲାଗିଛି । ତାଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରାଯିବ । ଦିଲ୍ଲୀ ହାଇକୋର୍ଟ ଏକ ପୁରୁଣା ମାମଲାରେ ଶାହାନବାଜ ହୁସେନଙ୍କ ବିରୋଧରେ ବଳାତ୍କାର ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ୩ ମାସ ମଧ୍ୟରେ ଏହି ମାମଲାର ଯାଞ୍ଚ କରିବାକୁ ମଧ୍ୟ କୋର୍ଟ ପୋଲିସକୁ କହିଛନ୍ତି ।
ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିଶ ଆଶା ମେନନଙ୍କ ବେଞ୍ଚ ପୋଲିସକୁ କିଛି ବର୍ଷ ପୂର୍ବେ ପୀଡ଼ିତ ମହିଳାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ସମସ୍ତ ତଥ୍ୟକୁ ଦେଖିବା ପରେ ଏହା ସ୍ପଷ୍ଟ ହେଉଛି କି ଏହି ମାମଲାରେ ଏଫଆଇଆର ଦେବାକୁ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଅନିଚ୍ଛା ପ୍ରକାଶ ପାଇଛି । କୋର୍ଟ କହିଛନ୍ତି ପୋଲିସ ପକ୍ଷରୁ ତଳ କୋର୍ଟରେ ଦିଆଯାଇଥିବା ରିପୋର୍ଟ ଶେଷ ରିପୋର୍ଟ ନୁହେଁ ।
ସୂଚନାଯୋଗ୍ୟ, ଦିଲ୍ଲୀ ନିବାସୀ ଜଣେ ମହିଳା ୨୦୧୮ରେ ଦିଲ୍ଲୀର ତଳ କୋର୍ଟରେ ହୁସେନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ଦାୟର କରିବାକୁ ଅପିଲ କରିଥିଲେ । ମହିଳାଙ୍କ ଅଭିଯୋଗ ଥିଲା କି ଶାହନବାଜ ହୁସେନ ଛତରପୁର ଫାର୍ମ ହାଉସରେ ତାଙ୍କୁ ବଳାତ୍କାର କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।