Categories: ଜାତୀୟ

ବୈବାହିକ ବଳାତ୍କାର ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଳୀ: ୨୨।୨: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ମାମଲାର ଶୁଣାଣି ସୋମବାର ଦିଲ୍ଳୀ ହାଇକୋର୍ଟରେ ହୋଇଥିବାବେଳେ ଏ ପ୍ରସଙ୍ଗର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍‌ ରାଜୀବ ଶକଧର ଏବଂ ଜଷ୍ଟିସ୍‌ ସି. ହରି ଶଙ୍କରଙ୍କ ଦ୍ୱାରା ଗଠିତ ଦୁଇଜଣିଆ ଖଣ୍ଡପୀଠରେ ଆଇପିସି ଧାରା ୩୭୫କୁ ଚ୍ୟାଲେଞ୍ଜ କରି ଦାଏର ଆବେଦନର ଶୁଣାଣି ହୋଇଥିଲା । ବଳାତ୍କାର କ୍ଷେତ୍ରରେ ସ୍ବାମୀଙ୍କୁ ଛାଡ ଦିଆ ନ ଯିବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି । ଯଦି ଜଣେ ପୁରୁଷ ସ୍ତ୍ରୀଙ୍କ ସହ ଜବରଦସ୍ତ ଶରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି ତେବେ ତାହା ବଳାତ୍କାର ବୋଲି ଉକ୍ତ ପିଟିଶନରେ ଉଲ୍ଲେଖ କରାଯାଇଛି। ସୋମବାର ଶୁଣାଣିରେ ଏ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ଆଲୋଚନା ପାଇଁ କେନ୍ଦ୍ର ଅଧିକ ସମୟ ଆବଶ୍ୟକ କରୁଥିବା କହିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। କେନ୍ଦ୍ରକୁ ଆଉ ସମୟ ଦିଆଯିବ ନାହିଁ ବୋଲି ଖଣ୍ଡପୀଠ ମନା କରିଥିଲେ। ଗତ ୭ ତାରିଖରେ ମାମଲାର ଶୁଣାଣି ହୋଇଥିବାବେଳେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେଇଥିଲେ ଖଣ୍ଡପୀଠ। ଆଗାମୀ ଶୁଣାଣି ମାର୍ଚ୍ଚ ୨ରେ ହେବାକୁ ଥିବାବେଳେ ପ୍ରସଙ୍ଗ ନେଇ ବିଭିନ୍ନ ପକ୍ଷ ଏତଲା ଦାଏର କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

Share