Categories: ଜାତୀୟ

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ସ୍ମୃତି ଇରାନୀ ଝିଅଙ୍କ ସମ୍ପର୍କିତ ଟୁଇଟ୍‌ ତୁରନ୍ତ ହଟାଅ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମୋକଦ୍ଦମା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ପୱନ ଖେରାଙ୍କୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛନ୍ତି। ଏହି ଦୁଇ ନେତା ସ୍ମୃତି ଝିଅ ଜୋଇସ୍‌ଙ୍କ ନାମରେ ଗୋଆରେ ବେଆଇନଭାବେ ବାର ଚଳାଉଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ବିରୋଧରେ ସ୍ମୃତି ଇରାନୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଜୋଇସ୍‌ଙ୍କ ନେଇ ଦିଆଯାଇଥିବା ମନ୍ତବ୍ୟକୁ ଟୁଇଟର୍‌ରୁ ହଟାଇବାକୁ ହାଇକୋର୍ଟ କଂଗ୍ରେସ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେମାନେ ଏହି ମନ୍ତବ୍ୟକୁ ହଟାଇବେ ନାହିଁ, ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହି ମନ୍ତବ୍ୟଗୁଡିକୁ ହଟାଇ ଦେବ। ସ୍ମୃତି ଇରାନୀ ଜୟରାମ ରମେଶ ଏବଂ ପୱନ ଖେରାଙ୍କ ନାଁରେ ମାନହାନୀ ଅଭିଯୋଗ ଆଣ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।
ସୂଚନାଯୋଗ୍ୟ,ଗୋଆରେ ଥିବା ଏକ ରେଷ୍ଟୁରାଣ୍ଟଟି ସ୍ମୃତି ଇରାନୀଙ୍କ ଝିଅଙ୍କ ମାଲିକାନାରେ ଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ନାରାବାଜି କରିଥିଲେ। ଗୋଆ ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କାରାଯାଇଥିଲା। ଉକ୍ତ ରେଷ୍ଟୁରାଣ୍ଟର ବାର ଲାଇସେନ୍ସ ମୃତ ବ୍ୟକ୍ତିଙ୍କ ନାମରେ ଆବେଦନ କରାଯାଇଥିବା ଅଭିଯୋଗ ହୋଇଥିଲା।

Share