ନୂଆଦିଲ୍ଲୀ,୨୮।୩: ୨୦୧୯ ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ, ସଫୁରା ଜାରଗାର ଏବଂ ଆସିଫ ଇକବାଲ ତନ୍ହାଙ୍କ ସମେତ ୯ଜଣ ଅଭିଯୁକ୍ତଙ୍କ ଏକ ବଡ଼ ଝଟ୍କା ଲାଗିଛି। ଆଉ ୨ଜଣଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଏହାପୂର୍ବରୁ ସାକେତ କୋର୍ଟ ସମସ୍ତ ୧୧ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବର୍ତ୍ତମାନ ଦିଲ୍ଲୀ ପୋଲିସର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ୯ଜଣଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସି ୧୪୩, ୧୪୭, ୧୪୯, ୧୮୬, ୩୫୩, ୪୨୭ ଅନୁଯାୟୀ ଦିଲ୍ଲୀ ହାଇକୋର୍ଟ ଶର୍ଜିଲ ଇମାମ, ଆସିଫ ଇକବାଲ ଏବଂ ସଫୁରା ଜାରଗାରଙ୍କ ସମେତ ୯ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଅନ୍ୟ ୨ଜଣ ମହମ୍ମଦ ଅବୁଜର ଏବଂ ମହମ୍ମଦ ଶୋଏବଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏହା ସ୍ପଷ୍ଟ ଯେ, ଶର୍ଜିଲଙ୍କ ସମେତ ଅନ୍ୟ ଲୋକମାନେ ଭିଡ଼ରେ ଉପସ୍ଥିତ ଥିଲେ। ସେମାନେ କେବଳ ଦିଲ୍ଲୀ ପୋଲିସ ବିରୋଧରେ ସ୍ଲୋଗାନ ଦେଇନାହାନ୍ତି ବରଂ ବ୍ୟାରିକେଡକୁ ହଟାଇବାକୁ ମଧ୍ୟ ଚେଷ୍ଟା କରୁଥିଲେ ବୋଲି କୋର୍ଟ କହିଛନ୍ତି।