Advertisement

ଏକକ ଦେଓ୍ବାନୀ ସଂହିତା ସପକ୍ଷରେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୧୦।୭: ୟୁନିଫର୍ମ ସିଭିଲ୍‌ କୋଡ୍‌ ବା ଏକକ ଦେଓ୍ବାନୀ ସଂହିତାର ଆବଶ୍ୟକତାକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ ଜଣାଇଛନ୍ତି। ଦେଶରେ ସମସ୍ତଙ୍କ ପାଇଁ ସମାନ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ ହେବା ଆବଶ୍ୟକ ଯେପରି ଆଧୁନିକ ଭାରତର ଯୁବ ସମାଜ, ସେ ଯେଉଁ ଧର୍ମ, ସମ୍ପ୍ରଦାୟ, ଜାତି ଓ ଜନଜାତି ବର୍ଗର ହୋଇଥାନ୍ତୁ ନା କାହିଁକି ବିଭିନ୍ନ ଧର୍ମର ବିବାହ ଆଇନକୁ ନେଇ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେଣୁ ସମ୍ବିଧାନର ଅନୁଚ୍ଛେଦ ୪୪ ଅନୁଯାୟୀ ରାଷ୍ଟ୍ର ଏହାର ନାଗରିକମାନଙ୍କ ପାଇଁ ସମାନ ନାଗରିକ ସଂହିତା କେବଳ ଆଶାରେ ନ ରଖି ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅଦାଲତ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୪୪ରେ ପରିକଳ୍ପନା କରାଯାଇଥିବା ୟୁନିଫର୍ମ ସିଭିଲ୍‌ କୋଡ୍‌ର ଆବଶ୍ୟକତା ସମୟରେ ସୁପ୍ରିମକୋର୍ଟ ଅନେକ ଥର ଦୋହରାଇଛନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଜରୁରୀ, ଯାହା ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଆଦି ସବୁ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିବ ବୋଲି ଜଷ୍ଟିସ୍‌ ପ୍ରଥିବା ଏମ୍‌. ସିଂଙ୍କ ଖଣ୍ଡପୀଠ କହିଛନ୍ତି। ୟୁସିସି କାର୍ଯ୍ୟକାରୀ ହେଲେ ବିଭିନ୍ନ ପର୍ସନାଲ ଲ’କୁ ନେଇ ଅଦାଲତ ଏବଂ ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ଜାତିର ଲୋକେ ବାରମ୍ବାର ସମ୍ମୁଖୀନ ହେଉଥିବା ଦ୍ୱନ୍ଦ୍ୱରୁ ମୁକ୍ତି ପାଇପାରିବେ। ୧୯୮୫ରେ ସୁପ୍ରିମକୋର୍ଟ ଏକ ରାୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବାକୁ ଆଶାବ୍ୟକ୍ତ କରିଥିଲେ। ତେବେ ପରିତାପର ବିଷୟ ଯେ ସମ୍ବିଧାନର ଅନୁଚ୍ଛେଦ ୪୪ ଏକ ମୃତ ଫର୍ଦ୍ଦ ହୋଇ ରହିଛି ବୋଲି ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share