ନୂଆଦିଲ୍ଲୀ,୧୩ ।୧୧: ଗତ କିଛି ବର୍ଷ ହେବ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ନଡା, ବାଣ, ଫ୍ୟାକ୍ଟ୍ରି ଓ ବଢି ଚାଲିଥିବା ଯାନବାହାନ ଯୋଗୁ ଏହି ସମସ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ଦିଲ୍ଲୀ ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ଏତେ ପରିମାଣରେ ବଢି ଯାଇଛି ଯେ ସେଠାରେ ନିଶ୍ୱାସ ନେବା ବି କଷ୍ଟକର ହୋଇ ପଡିଛି । ଏହା କେବଳ ଦିଲ୍ଲୀରେ ନୁହେଁ ଚାଇନା ଓ ପାକିସ୍ତାନରେ ବି ବାୟୁ ପ୍ରଦୂଷଣ ବେଳକୁ ବେଳ ବଢିବାରେ ଲାଗିଛି । ବିଶ୍ୱର ଏୟାର କ୍ୱାଲିଟି ଇଣ୍ଡେକ୍ସ ଉପରେ ନଜର ରଖୁଥିବା ସଂସ୍ଥା ଆଇକ୍ୟୁ ଏୟାରର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଶ୍ୱର ୧୦ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଦିଲ୍ଲୀ ସବୁଠାରୁ ଆଗରେ ରହିଥିଲା । ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ଲାହୋର ସହର ଥିବା ବେଳେ ବୁଲଗେରିୟାର ସୋଫିୟା ତୃତୀୟ ସ୍ଥାନରେ ଓ ଭାରତର କୋଲକାତା ଚତୁର୍ଥ ସ୍ଥାନରେ ରହିଥିବା ପ୍ରକାଶ କରାଯାଇଛି ।