Categories: ଜାତୀୟ

ଦିଲ୍ଲୀ ହିଂସା ପରେ ଆଲର୍ଟରେ ୟୁପିର କିଛି ସହର

ଲକ୍ଷ୍ନୌ,୧୭ ।୪: ଉତ୍ତର-ପଶ୍ଚିମ ଦିଲ୍ଲୀର କିଛି ସ୍ଥାନରେ ଶନିବାର ସନ୍ଧ୍ୟାରେ ହୋଇଥିବା ସାଂପ୍ରଦାୟିକ ହିଂସାପରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲାରେ ପୋଲିସ ହାଇ ଆଲର୍ଟରେ ରହିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମିଶନଙ୍କ ନିର୍ଦ୍ଦେଶ ପରେ ନୋଏଡା, ସେଣ୍ଟ୍ରାଲ ନୋଏଡା ଓ ଗ୍ରେଟର ନୋଏଡା ୩ ପୋଲିସ ଜୋନରେ ସୁରକ୍ଷା ବଢାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଭିଡ ସ୍ଥାନ, ବଜାର, ଶପିଂ ମଲ ନିକଟ, ମେଟ୍ରୋ ଷ୍ଟେଶନ ଓ ମିଶ୍ରିତ ଜନସଂଖ୍ୟା ଅଞ୍ଚଳରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ବରିଷ୍ଠ ଅଧିକାରୀ ସୁରକ୍ଷା ଉପରେ ନଜର ରଖିଛନ୍ତି । ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ।
ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗିରପୁରରେ ହନୁମାନ ଜୟନ୍ତି ଶୋଭାଯାତ୍ରାରେ ପଥରମାଡ ହୋଇଥିଲା । ଏଠାରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଯାଇଥିଲା । ପଥରମାଡ ସହ ମାରଣାସ୍ତ୍ରରେ ଆକ୍ରମଣ ବି ହୋଇଥିଲା । ଶେଭାଯାତ୍ରା ଜାହାଙ୍ଗିରପୁରର କୁଶଳ ସିନେମାହଲ ନିକଟରେ ଯାଉଥିବା ବେଳେ ସନ୍ଧ୍ୟା ୫ଟାରୁ ୫ଟା ୩୦ ମଧ୍ୟରେ ଏହି ହିଂସା ଘଟିଥିଲା ।

Share