Categories: ଜାତୀୟ

ଆସିଲା ଆଉ ଏକ ଲଭ ଲେଟର: କେଜରିୱାଲ

ନୂଆଦିଲ୍ଲୀ,୮ ।୧୦: ଦିଲ୍ଲୀର ଉପରାଜ୍ୟପାଳ ବିନୟ ସାକ୍ସେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପତ୍ର ଲେଖିଛନ୍ତି । ଉକ୍ତ ଚିଠିରେ ଉପରାଜ୍ୟପାଳ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ମନ୍ତ୍ରୀ ଓ ନେତାଙ୍କ ବିଭ୍ରାନ୍ତିକର , ଅବ୍ୟବହୃତ ଏବଂ ଅସତ୍ୟ ବିବୃତ୍ତି ବିଷୟରେ ଜାଣିବା ଦରକାର ।
ଦୁଃଖ ପ୍ରକାଶ କରି ଉପରାଜ୍ୟପାଳ ଲେଖିଛନ୍ତି ଯେ ସେ ନିଜ କର୍ତ୍ତବ୍ୟ ପାଳନ କରିବା ବେଳେ  ଦିଲ୍ଲୀ ଜନତାଙ୍କ ସହ ଜଡିତ ସମସ୍ତ ପ୍ରସଙ୍ଗ ଉଠାଇଛନ୍ତି । ହେଲେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତାମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ କାର୍ଯ୍ୟ କରୁଛନ୍ତି । କେଜରିୱାଲଙ୍କ ଉଦ୍ଦେଶ୍ୟରେ ଉପରାଜ୍ୟପାଳ ଲେଖିଛନ୍ତି ଯେ ଆପଣ ମର୍ଯ୍ୟାଦାର ସମସ୍ତ ସୀମା ଲଂଘି ଯାଉଛନ୍ତି । ଏହାସହ ଶାସନର ଦାୟିତ୍ୱ ନେବାକୁ ଦୂରେଇ ଦେଇ ଦୌଡି ପଳାଉଛନ୍ତି ।

ମୁଖ୍ୟମନ୍ତ୍ରୀ କେଜରିୱାଲ ଉପରାଜ୍ୟପାଳଙ୍କ ଚିଠିର ଉତ୍ତର ଦେବାକୁ ଯାଇ ଟୁଇଟ କରି ଲେଖିଛନ୍ତି, ଆଉ ଏକ ଲଭ ଲେଟର ଆସିଛି । ପୁଣିଥରେ କେଜରିୱାଲ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ଏହା ପୂର୍ବରୁ ବି ଉପରାଜ୍ୟପାଳଙ୍କ ଚିଠିକୁ ନେଇ କେଜରିୱାଲ ଲେଖିଥିଲେ ଏଲଜି ସାହେବ ମୋ ନିକଟକୁ ଯେତିକି ଲଭ ଲେଟର ଲେଖିଛନ୍ତି ସେତିକି ବୋଧହୁଏ ମୋ ପତ୍ନୀ ମୋ ନିକଟକୁ ଲେଖି ନ ଥିବେ ।

Share