Categories: ଜାତୀୟ

ଦିଲ୍ଲୀ ଉପରାଜ୍ୟପାଳଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୯ା୫: ଦିଲ୍ଲୀ ଊପରାଜ୍ୟପାଳ (ଏଲ୍‌ଜି) ଅନିଲ ବୈଜାଲ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡ଼ିଥିବା ବିଷୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ୨୦୧୬ ଡିସେମ୍ବର ୨୮ରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀର ତତ୍କାଳୀନ ଏଲ୍‌ଜି ନଜିବ ଜଙ୍ଗ ଇସ୍ତଫା ଦେବା ପରେ ୩୧ ତାରିଖରେ ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଅନିଲ ବୈଜାଲଙ୍କୁ ଅବସ୍ଥାପିତ କରାଯାଇଥିଲା।

୧୯୬୯ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ବୈଜାଲ ବିଂଶତମ ଉପରାଜ୍ୟପାଳ ରୂପେ ନିଯୁକ୍ତ ହେବା ପୂର୍ବରୁ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ଉପାଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ ସେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଥିଲେ। ଏଲ୍‌ଜି ନିଯୁକ୍ତ ହେବା ପରେ ବୈଜାଲ ପ୍ରାୟ ସାଢ଼େ ୪ ବର୍ଷ ଏହି ସାମ୍ବିଧାନିକ ପଦ ସମ୍ଭାଳିଥିଲେ।

ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଏବଂ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ କ୍ଷମତା ଅଧିକାରକୁ ନେଇ ଟଣାଓଟରା ଲାଗିରହିଥିବାବେଳେ ଉପରାଜ୍ୟପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସମସ୍ତଙ୍କ ନଜର ରହିଥିଲା।

Share