ନୂଆଦିଲ୍ଲୀ,୨।୬: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ରୌଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଚାର୍ଜସିଟର ଏକ କପି ଏବଂ ସମ୍ପୃକ୍ତ ଦଲିଲଗୁଡ଼ିକର ଏକ ନକଲ ଦେବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୬ରେ ହେବ ବୋଲି ଜଣାପଡିଛି।
ଏଥି ସହିତ ଏହି ମାମଲାର ଅନ୍ୟ ଅଭିଯୁକ୍ତ ଅର୍ଜୁନ ପାଣ୍ଡେ ଆଜି କୋର୍ଟରେ ହାଜର ନ ହେବା ପାଇଁ ଛୁଟି ମାଗିଛନ୍ତି। ପାଣ୍ଡେ କହିଛନ୍ତି, ସେ ଦିଲ୍ଲୀ ବାହାରେ ଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ। ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଅଭିଯୁକ୍ତ ଭାବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ବୁଚିବାବୁ ଗୋରଣ୍ଟଲା, ଅର୍ଜୁନ ପାଣ୍ଡେ ଏବଂ ଅମାନଦୀପ ଧଳଙ୍କୁ ଅଭିଯୁକ୍ତ ଭାବେ ନାମିତ କରିଛି।
ଏହାପୂର୍ବରୁ ଗୁରୁବାର ମଧ୍ୟ ମନୀଷ ସିସୋଡିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ଇଡିର ଚାର୍ଜସିଟ ଶୁଣାଣି ହୋଇଥିଲା। ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଛି।