Categories: ଜାତୀୟ

ସିସୋଡିଆଙ୍କ ଜାମିନ ଉପରେ ସିବିଆଇ, ଇଡିକୁ ନୋଟିସ ଜାରି କଲେ ସୁପିମକୋର୍ଟ

ନୂଆଦିଲ୍ଲୀ,୧୪।୭: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ସିସୋଡିଆ ପତ୍ନୀଙ୍କ ଅସୁସ୍ଥତା କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ନୋଟିସ ଜାରି କରାଯାଇଛି। ଜୁଲାଇ ୨୮ରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବେଲା ତ୍ରିବେଦୀ ଏବଂ ଜଷ୍ଟିସ ଉଜ୍ୱଲ ମୁଇନଙ୍କ ବେଞ୍ଚ ଏହି ଶୁଣାଣି କରିଛନ୍ତି। ମଦ ଦୁର୍ନୀତି ମାମଲାରେ ସିସୋଡିଆଙ୍କୁ ପ୍ରାୟ ୫ ମାସ ପୂର୍ବରୁ ଗିରଫ କରାଯାଇଥିଲା। ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ସିସୋଡିଆ ବିରୋଧରେ ଆସିଥିବା ଅଭିଯୋଗକୁ ଗୁରୁତର ବୋଲି ବିଚାର କରି ଦିଲ୍ଲୀ ହାଇକୋର୍ଟ ଜାମିନ ଦେବାକୁ ମନା କରିଦେଇଥିଲେ।
ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବା ପରେ ସିସୋଡିଆ ସୁପ୍ରିମକୋର୍ଟ ଯାଇଥିଲେ। ଜୁଲାଇ ୧୦ରେ ବରିଷ୍ଠ ବିଚାରପତି ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡଙ୍କ ନିକଟରେ ରଖି ଜରୁରୀକାଳୀନ ଶୁଣାଣି ପାଇଁ ଦାବି କରିଥିଲେ। ଏହାକୁ ପ୍ରଧାନ ବିଚାରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା।
ସୂଚନାଯୋଗ୍ୟ, ସିସୋଡିଆଙ୍କ ମଦ ଦୁର୍ନୀତି ମାମଲାରେ ଫେବୃଆରୀ ୧୬ରେ ସିବିଆଇ ଗିରଫ କରିଥିଲା। ସେହି ଦିନଠାରୁ ସେ ଜେଲରେ ଥିଲେ। ସେ ଫେବୃଆରୀ ୨୮ରେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ମେ ୩୦ରେ ହାଇକୋର୍ଟ ସିବିଆଇ ମାମଲାରେ ମନୀଷ ସିସୋଡିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।

Share