Categories: ଖେଳ

ତ୍ରିପୁରାକୁ ୫୪-୦ରେ ହରାଇଲା ଦିଲ୍ଲୀ

ଭୁବନେଶ୍ୱର, ୨୨ା୫(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ଜାତୀୟ ପୁରୁଷ ସବ୍‌ ଜୁନିୟର ଚାମ୍ପିୟନଶିପ୍‌ ୨୦୨୩ରେ ରବିବାର ଖେଳାଯାଇଥିବା ମ୍ୟାଚରେ ହକି ପଞ୍ଜାବ, ଦିଲ୍ଲୀ ହକି ଓ ହକି ଚଣ୍ଡିଗଡ଼ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଦିନର ପ୍ରଥମ ମ୍ୟାଚ ପୁଲ୍‌ ‘ଇ’ରେ ପଞ୍ଜାବ ୮-୧ ଗୋଲ୍‌ରେ ଆସାମ ହକିକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ୫୪-୦ ଗୋଲ୍‌ରେ ତ୍ରିପୁରାକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଆଫ୍ରିଦୀ ୧୪, ଅନୀଲ କୁମାର ୧୦, ଇବ୍ରାହିମ ହାରୁନ୍‌ ୯, ଯୁବରାଜ ସିଂ ଓ ଅଙ୍କିତ କୁମାର ୪ଟି ଲେଖାଏଁ ଗୋଲ ଦେଇଥିବା ବେଳେ ମହମ୍ମଦ ଆମିର ଚୌଧାରୀ ଓ ମୟଙ୍କ ଡିଙ୍ଗ୍ରା ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଏହାଛଡ଼ା ଏକଲବ୍ୟ, ନମନ ଶର୍ମା ଓ ଅଧିନାୟକ ହର୍ଷ ଫାଲସ୍ବାଲ ଦୁଇଟି ଲେଖାଏଁ ଏବଂ ଆର୍ୟନ ଗୋଟିଏ ଗୋଲ ଦେଇଥିଲେ। ରବିବାର ଖେଳାଯାଇଥିବା ତୃତୀୟ ମ୍ୟାଚରେ ଚଣ୍ଡିଗଡ଼ ୨୮-୧ ଗୋଲ୍‌ରେ ହକି ଗୁଜରାଟକୁ ପରାସ୍ତ କରିଛି। ଦଳ ପକ୍ଷରୁ ଗୁରପ୍ରୀତ ସିଂ ୬ଟି ଗୋଲ ସ୍କୋର କରିଥିବା ବେଳେ କୋମଲପ୍ରୀତ ସିଂ, ସୁଖମନପ୍ରୀତ ସିଂ ଓ ଗୁରଜିତ ସିଂ ତିନୋଟି ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିପରି ଅଧିନାୟକ ଦମନଦୀପ ସିଂ, ପ୍ରଭଜୋତ ସିଂ ସଇନି, ମିସ୍‌ବା ଖାଁ ଓ ଫତେ ସିଂ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିଲେ। ପଙ୍କଜ ଶର୍ମା, ସୁଖପ୍ରୀତ ସିଂ, ପ୍ରିନ୍ସ ସିଂ, ମନିନ୍ଦର ପାଲ ସିଂ ଓ ସନି ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ହକି ଗୁଜରାଟ ତରଫରୁ ଏକମାତ୍ର ଗୋଲ୍‌ ନିକୁଞ୍ଜ ସାଲ୍‌ଭୀ ସ୍କୋର କରିଥିଲେ।

 

Share