କମ୍ପାନୀର ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିଦେବାରୁ କର୍ମଚାରୀଙ୍କୁ ଜେଲ

ଓ୍ବାଶିଂଟନ,୨୪।୩ : କମ୍ପାନୀର ସର୍ଭର ହ୍ୟାକ କରିବା ଓ ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ ନିଲମ୍ବିତ ହୋଇଥିବା ଜଣେ ଭାରତୀୟ ନାଗରିକଙ୍କୁ କଲିଫର୍ନିଆର ଏକ କୋର୍ଟ ଦୁଇ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୧୧ ତାରିଖରେ ଭାରତରୁ ଆମେରିକାରେ ପହଞ୍ଚିବା ପରେ ଦୀପାଂଶୁ ଖେରଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଥିବା ଓ୍ବାରେଣ୍ଟ ସମ୍ପର୍କରେ ସେ ଜାଣି ନ ଥିଲେ।

କମ୍ପାନୀର କ୍ଷତି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରାଯାଇଥିଲା ବୋଲି କାର୍ଯ୍ୟକାରୀ ଆଟର୍ନି ଆର. ଗ୍ରସମ୍ୟାନ ମଙ୍ଗଳବାର କହିଛନ୍ତି।

ଆମେରିକାର ଜିଲା କୋର୍ଟର ଜଜ୍‌ ମାରିଲିନ ହଫ୍‌ କହିଛନ୍ତି, ଦୀପାଂଶୁ କମ୍ପାନୀ ଉପରେ ଅତ୍ୟାଧୁନିକ ଆକ୍ରମଣ କରିଥିଲେ। ଏହା ସମ୍ପୂର୍ଣ୍ଣା ଯୋଜନାବଦ୍ଧ ଓ ପ୍ରତିଶୋଧ ପରାୟଣ ଆକ୍ରମଣ ଥିଲା। ଦୁଇ ବର୍ଷ ଜେଲ ଦଣ୍ଡ ସହ ଦୀପାଂଶୁଙ୍କୁ କରିଥିବା କ୍ଷତି ପାଇଁ କମ୍ପାନୀକୁ ୪.୧୧ କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ଏହି ଘଟଣା ୨୦୧୮ ଅଗଷ୍ଟ ମାସରେ ଘଟିଥିଲା। ଦୀପାଂଶୁ କମ୍ପାନୀର ସର୍ଭର ହ୍ୟାକ କରିବା ସହ ୧୨୦୦ ୟୁଜର ଆକାଉଣ୍ଟ ଡିଲିଟ୍‌ କରି ଦେଇଥିଲେ। ଏଥିଯୋଗୁ ଦୁଇ ଦିନ ଧରି କମ୍ପାନୀ ବନ୍ଦ ରହିଥିଲା।

Share