ନୂଆଦିଲ୍ଲୀ, ୨୫ା୩ : ଜଣେ ବ୍ୟକ୍ତି ଶାଶୁ ଘରର ଲୋକଙ୍କୁ ମାଛ ତରକାରୀରେ ବିଷ ଦେଇ ହତ୍ୟା କରିଛନ୍ତି। ଗୁରୁତର ଥିବା ପତ୍ନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ଘଟଣାରେ ୩୭ ବର୍ଷୀୟ ବରୁନ ଆରୋରାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସେ ପତ୍ନୀ, ଶାଶୁ ଓ ଶାଳିଙ୍କୁ ଖାଇବାକୁ ଦେଇଥିଲେ ଥାଲିୟମ ମିଶା ମାଛ ତରକାରୀ। କୁହାଯାଉଛି, ଇରାକର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଠାରୁ ପ୍ରେରିତ ହୋଇ ବରୁନ ଥାଲିୟମ ଭଳି ଧିମା ବିଷର ବ୍ୟବହାର କରିଛନ୍ତି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବାଟରୁ ହଟାଇବା ପାଇଁ ଏହି ବିଷକୁ ବ୍ୟବହାର କରୁଥିଲା ସଦ୍ଦାମ ହୁସେନ।
ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଘରୁ ବରୁନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି, ପତ୍ନୀ ଓ ଶାଶୁ ଘର ଲୋକଙ୍କୁ ସେ ଦେଇଥିବା ଖାଦ୍ୟରେ ମିଶିଥିଲା ବିଷ। ସେମାନେ ବରୁନଙ୍କୁ ବାରମ୍ବାର ଅପମାନ ଦେଉଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ସେ ଏହି ଅପରାଧ ଘଟାଇଛି।
ତାଙ୍କ ଶାଳିଙ୍କ ମୃତ ଶରୀରରେ ଥାଲିୟମ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ବରୁନଙ୍କ ପତ୍ନୀ ମଧ୍ୟ ମେଡିକାଲରେ ଭର୍ତ୍ତି ଥିବା ଜାଣିବାକୁ ପାଇଥିଲା ପୋଲିସ। ତାଙ୍କ ରକ୍ତରେ ମଧ୍ୟ ସମାନ ବିଷ ମିଳିଥିଲା।