ନୂଆଦିଲ୍ଲୀ,୮।୧୨: ସ୍ତ୍ରୀ ସହ ଝଗଡ଼ ହେବାରୁ ମଦ ନିଶାରେ ଥିବା ୨୬ ବର୍ଷୀୟ ଯୁବକ ୩ ମାସର ଶିଶୁ ପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଛନ୍ତି। ଏଭଳି ଘଟଣା ଗତ ୩ ତାରିଖରେ ଦିଲ୍ଲୀର ଭାଲସ୍ବା ଡାଏରୀ ଅଞ୍ଚଳରେ ଘଟିଥିଲା। ଅଭିଯୁକ୍ତ ମୃତ ଶିଶୁର ବାପା ରବି ରାଇଙ୍କୁ ଗିରଫ କରାଯାଇଛି।
ପୋଲିସ ପକ୍ଷରୁ କୁହାଯାଇଛି, ରବି ଛୁଆର ଦୁଇ ଗୋଡ଼କୁ ଧରି କାନ୍ଥରେ ପିଟି ଦେଇଥିଲେ।
ଡିସିପି ବ୍ରିଜେନ୍ଦ୍ର କୁମାର ଯାଦବ କହିଛନ୍ତି, ୩ ତାରିଖ ରାତି ୧୦ଟା ୩୦ରେ ପିସିଆରକୁ କଲ ଆସିଥିଲା। ଜଣେ ବ୍ୟକ୍ତି ତାଙ୍କ ଛୁଆଙ୍କୁ ହତ୍ୟା କରିଥିବା ସୂଚନା ଦେଇଥିଲା ଭଲସ୍ବା ଡାଏରୀ ଥାନା। ଆମେ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲୁ, ଅଭିଯୁକ୍ତ ରବି ନିଶାଶକ୍ତ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କ ୩ ମାସର ଶିଶୁକୁ ବିଜେଆରଏମ୍ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଏମ୍ଏଲ୍ସି ରିପୋର୍ଟ ମୁତାବକ ଶିଶୁର ପିଞ୍ଜରା ହାଡ଼ ଭାଙ୍ଗି ଯାଇଛି।
ପଚରାଉଚରା ବେଳେ ପଡୋଶୀ କହିଥିଲେ, ଘଟଣାଦିନ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ ଚାଲିଥିଲା। ହଠାତ୍ ମହିଳା ଘର ବାହାରକୁ ଆସି ଚିତ୍କାର କରି ତାଙ୍କ ପୁଅକୁ ସ୍ବାମୀ ହତ୍ୟା କାରିଥିବା କହିଥିଲେ।