Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ମେୟର ନିର୍ବାଚନ ପୂର୍ବରୁ ୨କାଉନସିଲର ଏଏପିରେ ସାମିଲ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀରେ ନଗର ନିଗମ ନିର୍ବାଚନର ଫଳାଫଳ ଆସିବାର ତୃତୀୟ ଦିନରେ ହିଁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମେୟର ନିର୍ବାଚନ ପୂର୍ବରୁ ଶୁକ୍ରବାର କଂଗ୍ରେସର ୨ଜଣ କାଉନସିଲର ଦଳ ଛାଡ଼ି ଆମ ଆଦମୀ ପାର୍ଟି(ଏଏପି) ରେ ସାମିଲ ହୋଇଛନ୍ତି। ମୁସ୍ତଫାବାଦରୁ କାଉନସିଲର ସବିଲା ବେଗମ ଏବଂ ବ୍ରିଜପୁରୀର କାଉନସିଲର ନାଜିଆ ଖାତୁନ ଏଏପିରେ ଯୋଗଦେଇଛନ୍ତି। ଏଏପିର ମ୍ୟୁନିସିପାଲିଟି କର୍ପୋରେସନ ପ୍ରଭାରୀ ଦୁର୍ଗେଶ ପାଠକ ଉଭୟ କଂଗ୍ରେସର ୨ଜଣ କାଉନସିଲର ଓ ଜଣେ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରାଇଛନ୍ତି। ଏନେଇ ଦୁର୍ଗେଶ ପାଠକ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ମେୟର ନିର୍ବାଚନ ପାଇଁ ଏଏପି ଅଧିକ ଶକ୍ତିଶାଳୀ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ମ୍ୟୁନସିପାଲିଟି କର୍ପୋରେସନ(ଏମ୍‌ସିଡି) ନିର୍ବାଚନରେ ଏଏପି ବହୁମତରେ ବିଜୟ ହାସଲ କରିଛି। ୨୫୦ଆସନରୁ ଏଏପିକୁ ୧୩୪, ଭାଜପାକୁ ୧୦୪ ଓ କଂଗ୍ରେସ ୯ଟି ଆସନ ହାତେଇବାରେ ସକ୍ଷମ ହୋଇଛି।

 

Share