Categories: ଜାତୀୟ

ମୁଣ୍ଡକା ଅଗ୍ନିକାଣ୍ଡରେ ପୋଲିସକୁ ବଡ ସଫଳତା: ବିଲଡିଂ ମାଲିକ ଗିରଫ

ନୂଆଦିଲ୍ଲୀ,୧୫ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ପୋଲିସକୁ ବଡ ସଫଳତା ମିଳିଛି । ଉକ୍ତ ବିଲଡିଂର ମାଲିକ ମନିଷ ଲାକଡାଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଦିଲ୍ଲୀର ମେଟ୍ରୋ ଷ୍ଟେଶନ ନିକଟ ମୁଣ୍ଡକାରେ ଥିବା ଏକ କମର୍ସିଆଲ ବିଲଡିଂରେ ଶୁକ୍ରବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା । ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏଫଆଇଆର୍‌ରେ କୁହାଯାଇଛି କି ବିଲଡିଂର ଦ୍ୱିତୀୟ ମହଲାରେ ଏକ ମିଟିଂ ଚାଲିଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ସେତିକି ବେଳେ ହିଁ ନିଆଁ ଲାଗିଯାଇଥିବାରୁ ବହୁ ଲୋକେ ଏଥିରେ ଫସି ଯାଇଥିଲେ । ଏହା ବ୍ୟତୀତ ବିଲଡିଂରେ କୌଣସି ଏମରଜେନ୍ସି ଏକ୍‌ଜିଟ ଗେଟ ବି ନ ଥିଲା ତେଣୁ ବଡ ଧରଣର ଦୁର୍ଘଟଣା ଘଟିଗଲା ।
ପୋଲିସ ଘରର ମାଲିକ ମନିଷ ଲାକଡା, ତାଙ୍କ ମାଆ ଓ ପତ୍ନୀଙ୍କ ବ୍ୟତୀତ ଘରକୁ ଭଡାରେ ନେଇଥିବା ଦୁଇ ଭାଇ ହରିଶ ଓ ବରୁଣ ଗୋୟଲଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଫଆଇଆର ଅନୁଯାୟୀ, ଗୋୟଲ ବନ୍ଧୁ ତାଙ୍କ କର୍ମଚାରୀଙ୍କ ସୁରକ୍ଷାରକୁ ଗୁରୁତ୍ୱ ଦେଇ ନ ଥିଲେ । ମୋଟିଭେଶନାଲ ପ୍ରୋଗ୍ରାମ ଚାଲୁଥିବାରୁ ବିଲଡିଂର ଦ୍ୱିତୀୟ ମହଲାରେ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ଥିଲେ ।

Share