Categories: ଜାତୀୟ

ମୁଣ୍ଡକା ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଲେ କେଜରିୱାଲ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏହା ଆହୁରି ୨/୩ ଘଣ୍ଟା ଲାଗିପାରେ ବୋଲି କୁହାଯାଉଛି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ସେ ଗଣମାଧ୍ୟମ ସହ କଥା ହେବା ସମୟରେ ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଲେଖାଏଁ ଟଙ୍କା ସହାୟତା ସହ ଆହତଙ୍କୁ ୫୦-୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ଘଟଣାର ଦୋଷୀଙ୍କୁ ଧରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ମୁଣ୍ଡକାରେ ଥିବା ଏକ ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯିବା ଫଳରେ ସେଠାରେ ଥିବା ଲୋକଙ୍କ ମଧ୍ୟରୁ ୨୭ ଜଣ ପୋଡି ହୋଇ ବା ଅଶନିଶ୍ୱାସୀ ହୋଇ ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପ୍ରାୟ ୪୦ ଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଆଉ ପ୍ରାୟ ୧୦୦ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏହାସହ ୨୯ ଜଣ ନିଖୋଜ ଥିବା କୁହାଯାଉଛି ।

Share