Categories: ଜାତୀୟ

ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଅଧିକାରୀଙ୍କ ସହ ସ୍ତ୍ରୀ ଥାନାରେ ଅଟକ

ନୂଆଦିଲ୍ଲୀ,୨୧।୮: ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ନେଇ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ପୋକ୍ସୋ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ପୋଲିସ ସମ୍ପୃକ୍ତ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅଧିକାରୀଙ୍କ ସ୍ତ୍ରୀ ମଧ୍ୟ ମାମଲାରେ ସମ୍ପୃକ୍ତ ଥିବାରୁ ପୋଲିସ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି।

ପୋଲିସ ସୂଚନା ମୁତାବକ, ୨୦୨୦ରେ ଛାତ୍ରୀଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ପରେ ଛାତ୍ରୀ ଜଣକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଛାତ୍ରୀଙ୍କ ବାପା ଓ ଅଧିକାରୀଙ୍କ ମଧରେ ଭଲ ବନ୍ଧୁତା ରହିଥିଲା। ଏଭଳି ସ୍ଥିତିରେ ଦିନେ ଛାତ୍ରୀଙ୍କୁ ଚର୍ଚ୍ଚରେ ଅଧିକାରୀ ଜଣକ ସାକ୍ଷାତ କରିଥିଲେ। ପରେ ସେ ଛାତ୍ରୀଙ୍କୁ ଆଶ୍ୱାସନା ଦେବା ସହ ଘରକୁ ନେଇ ଯାଇଥିଲେ। ପରେ ଅଧିକାରୀ ଜଣକ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଅଧିକାରୀ ଜଣକ ଛାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।

ଘଟଣା ସମ୍ପର୍କରେ ନାବାଳିକା ଜଣକ ଅଧିକାରୀଙ୍କ ସ୍ତ୍ରୀଙ୍କୁ ଅବଗତ କରାଇଥିଲେ। ହେଲେ ମହିଳା ଜଣକ ସହାୟତା କରିବା ବଦଳରେ ଗର୍ଭନଷ୍ଟ କରିବାକୁ ଛାତ୍ରୀଙ୍କୁ ଔଷଧ ଦେଇଥିଲେ। ବର୍ତ୍ତମାନ ନାବାଳିକା ଛାତ୍ରୀ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୁସ୍ଥ ହେବା ପରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବ।

Share