Categories: ଜାତୀୟ

ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୩ା୭: ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣିଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ରବିବାର ଅପରାହ୍ନରେ ଜଳସ୍ତର ୨୦୬.୨୬ ମିଟର ହୋଇଥିବା ବେଳେ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି।

ଦିଲ୍ଲୀ ସରକାର ବନ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ମନ୍ତ୍ରୀ ଆତିଶି କହିଛନ୍ତି। ଖାଲୁଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ସରକାର ପୂର୍ଣ୍ଣ ପ୍ରସ୍ତୁତିରେ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରିଲିଫ କ୍ୟାମ୍ପ ଖୋଲାଯିବା ସହ ବନ୍ୟା ଆଶଙ୍କା ଥିବା ଯମୁନା ବଜାର ଏବଂ ଯମୁନା ଖଦାର ଆଦି ଅଞ୍ଚଳରେ ସତର୍କ ରହିବା ଲାଗି ନିୟମିତ ପ୍ରଚାର କରାଯାଉଛି। ମନ୍ତ୍ରୀ ସୌରଭ ଭରଦ୍ୱାଜ ରବିବାର ଅପରାହ୍ନରେ ଓ୍ବାଜିରାବାଦ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି।

Share