Categories: ଜାତୀୟ

କେଜ୍‌ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ ଘଟଣା: ୮ ଗିରଫ

ନୂଆଦିଲ୍ଲୀ,୩୧।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଥିଲେ। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରଥିଲେ। ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆଉ କିଛି ଲୋକଙ୍କୁ ଖୋଜୁଛି। ଏହି ଘଟଣାରେ ପୋଲିସର ୬ଟି ଟିମ ନିୟୋଜିତ ଅଛନ୍ତି।
ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ବିଧାୟକ ସୌରଭ ଭରଦ୍ୱାଜ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବାସଭବନ ବାହାରେ ହୋଇଥିବା ଭଙ୍ଗାରୁଜା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଘଟଣାରେ ନିରପେକ୍ଷ ଅପରାଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳର ଗଠନ ପାଇଁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ଭାଜପା ବିଧାୟକମାନେ କଶ୍ମୀର ଫାଇଲ୍ସ ଫିଲ୍ମକୁ ଟିକସ ମୁକ୍ତ କରିବାକୁ ଦାବି କରିଥିଲେ। ଏହାର ଜବାବରେ କେଜ୍‌ରିୱାଲ ଦିଲ୍ଲୀ ବିଧାନସଭାରେ ଭାଜପାକୁ ତାଚ୍ଛଲ୍ୟ କରି ୟୁଟ୍ୟୁବରେ ଫିଲ୍ମକୁ ରିଲିଜ କଲେ ସମସ୍ତେ ମାଗଣା ଦେଖିପାରିବେ। ତେଣୁ ଟିକସ ମୁକ୍ତର କୌଣସି ଆବଶ୍ୟକ ନ ଥିବା ସେ କହିଥିଲେ। କେଜ୍‌ରିଓ୍ବାଲଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା।

Share