Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭ ।୧: ସାଧାଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଗଲାଣି । କୌଣସି ବି ଆକ୍ରମଣ ଘଟଣାକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି । ସାଧାରଣତନ୍ତ୍ର ଦିବସକୁ ନେଇ ପୋଲିସ ପକ୍ଷରୁ ନୂଆ ନିୟମ ବି ଲାଗୁ କରାଯାଇଛି । ଚଳିତ ବର୍ଷ ବିନା ଟିକେଟ ବା ନିମନ୍ତ୍ରଣ ପତ୍ର ବିନା ସାଧାରଣତନ୍ତ୍ର ଦିବସ ସମାରୋହରେ ପ୍ରବେଶ ଅନୁମତି ମିଳିବ ନାହିଁ । ବିନା ପରିଚୟ ପତ୍ରରେ ଟିକେଟ ମିଳିବ ନାହିଁ । ଦିଲ୍ଲୀ ସୀମାରେ ବି ପରିଚୟ ପତ୍ର ଦେଖାଇବା ଜରୁରୀ । ସେହି ପରିଚୟ ପତ୍ର ଯାହା ଟିକେଟ ନେବା ସମୟରେ ଦେଖାଇଥିବେ । ଅତିରିକ୍ତ ପୋଲିସ ଆୟୁକ୍ତ ଏସିପି ସିଦ୍ଧାର୍ଥ ଜୈନ କହିଛନ୍ତି ଆମ ପାଖରେ ଗୁପ୍ତ ସୂଚନା ରହିଛି କି ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନି ସଙ୍ଗଠନ ଓ ଅଲକାଏଦା ସମେତ କିଛି ଆତଙ୍କବାଦୀ ସଙ୍ଗଠନ ବଡ ଧରଣର ଆକ୍ରମଣ ଯୋଜନାରେ ଅଛନ୍ତି । ଏଭଳି ଘଟଣାକୁ ଏଡାଇବାକୁ କିଛି ଅତିରିକ୍ତ ପଦକ୍ଷେପ ନିଆଯାଇଛି । ସେଥିପାଇଁ ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଯାଇଛି । ଦିଲ୍ଲୀ ପୋଲିସ ଯେଉଁମାନଙ୍କୁ ଖୋଜୁଛି ସେମାନଙ୍କ ପୋଷ୍ଟର ଭିଡ ସ୍ଥାନରେ ଲଗାଇ ଦିଆଯାଇଛି । କାରଣ ଦିଲ୍ଲୀ ପୋଲିସ ସନ୍ଦେହରେ ଅଛି କି ଏମାନେ ଯେ କୌଣସି ସମୟରେ କିଛି ବି ଘଟଣା ଘଟାଇ ପାରନ୍ତି । ସେସବୁ ପୋଷ୍ଟରରେ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ, ଖଲିସ୍ତାନ କମାଣ୍ଡୋ ଫୋର୍ସ, ଖଲିସ୍ତାନ ଲିବରେଶନ ଫୋର୍ସ, ବବ୍ୱର ଖାଲସା ଇଣ୍ଟରନ୍ୟାଶନାଲ ଆତଙ୍କବାଦୀଙ୍କ ପୋଷ୍ଟର ରହିଛି । ଏହାସହ ଅଲ କାଏଦା ଓ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ପୋଷ୍ଟର ବି ଲଗାଯାଇଛି ।

Share