ଦିଲ୍ଲୀରେ ହେବନାହିଁ ମୁନାୱର ଫାରୁକିଙ୍କ ଶୋ’, ପୋଲିସ ଦେଲାନାହିଁ ଅନୁମତି

ନୂଆଦିଲ୍ଲୀ,୨୭ ।୮: ମୁନାୱର ଫାରୁକି ହେଉଛନ୍ତି ଜଣେ ଫେମଶ ଷ୍ଟାଣ୍ଡ ଅପ କମେଡିଆନ, ଯାହାଙ୍କ ଶୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ଥାଏ । କିଛିଦିନ ହେବ ସେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଧର୍ମ ଓ ରାଜନୀତିକୁ ନେଇ ତାଙ୍କର ମନ୍ତବ୍ୟ କେବେ କେବେ ତାଙ୍କ ପାଇଁ ମହଙ୍ଗା ପଡୁଛି । ସବୁବେଳେ ସେ ଏହାକୁ ନେଇ ଖୋଲା ଖୋଲି ମନ୍ତବ୍ୟ ଦେଇଥାଆନ୍ତି । ଯେଉଁଥିପାଇଁ ଏହାର ପ୍ରଭାବ ତାଙ୍କ ଶୋ’ ଉପରେ ପଡିଥାଏ । ବେଙ୍ଗାଲୁରୁ ପରେ ଏବେ ଦିଲ୍ଲୀରେ ହେବାକୁ ଥିବା ମୁନାୱରଙ୍କ ଶୋ’କୁ ବି ବନ୍ଦ କରି ଦିଆଯାଇଛି ।
ସୂଚନାଯୋଗ୍ୟ, ଅଗଷ୍ଟ ୨୮ରେ ଦିଲ୍ଲୀରେ ହେବାକୁ ଥିବା ମୁନାୱର ଫାରୁକିଙ୍କ ଶୋ’କୁ ଦିଲ୍ଲୀ ପୋଲିସର ଲାଇସେଂସିଂ ବ୍ରାଞ୍ଚ ଅନୁମତି ଦେବାକୁ ମନା କରି ଦେଇଛି । ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ଦ୍ୱାରା ଦିଆଯାଇଥିବା ଧମକ ପରେ ଫାରୁକିଙ୍କ ଶୋ’କୁ ବନ୍ଦ କରି ଦିଆଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ପୋଲିସ ବ୍ରାଞ୍ଚକୁ ଏକ ରିପୋର୍ଟ ଦେଇଥିଲା, ଏଥିରେ ମୁନାୱରଙ୍କ ଶୋ’ ଯୋଗୁ ଉକ୍ତ ଅଞ୍ଚଳରେ ସାଂପ୍ରଦାୟିକ ଶାନ୍ତି ଭଙ୍ଗ ହେବ ବୋଲି କୁହାଯାଇଥିଲା । ଫାରୁକିଙ୍କ ଶୋ’ ସେଣ୍ଟ୍ରାଲ ଦିଲ୍ଲୀର କେଦାରନାଥ ସାହନି ଅଡିଟୋରିୟମରେ ୨୮ ଅଗଷ୍ଟରେ ହେବାର ଥିଲା । ଲୋକାଲ ପୋଲିସ ଏହାକୁ ରିକ୍ୱେଷ୍ଟ ଲାଇସେନ୍ସ ବ୍ରାଞ୍ଚକୁ ପଠାଇଥିଲା । ହେଲେ ଲାଇସେନ୍ସ ବ୍ରାଞ୍ଚ ଏହାକୁ ଅନୁମତି ଦେଇ ନ ଥିଲା । ଶୋ’ ମାଧ୍ୟମରେ ଫାରୁକି ହିନ୍ଦୁ ଦେବାତାଙ୍କ ବ୍ୟଙ୍ଗ କରୁଥିବା ଅଭିଯୋଗ ରହିଛି ।

Share