ନୂଆଦିଲ୍ଲୀ,୩୦।୧୨: ଭାରତ ଯୋଡୋ ଯାତ୍ରା ସମୟରେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜେ ହିଁ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିନାହାନ୍ତି। ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ବାବଦରେ ଅବଗତ କରାଯାଇଥିଲା। ଭାରତ ଯୋଡା ଯାତ୍ରା ସମୟରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ପୋଲିସ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଥିଲା ବୋଲି କୁହାଯାଇଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଦିଲ୍ଲୀ ପୋଲିସ ଏକ ରିପୋର୍ଟ ପ୍ରଦାନ କରିଛି। ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଦିଲ୍ଲୀ ପୋଲିସ କୌଣସି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରିନାହିଁ। ଏହି ମାମଲାରେ ଦିଲ୍ଲୀ ପୋଲିସର ସୁରକ୍ଷା, ଟ୍ରାଫିକ୍ ଏବଂ ସ୍ବତନ୍ତ୍ର ବ୍ରାଞ୍ଚ ଆଦି ୟୁନିଟ୍ରୁ ସଞ୍ଜୟ ଅରୋରା ଏକ ରିପୋର୍ଟ ମାଗିଥିଲେ। ଉକ୍ତ ୟୁନିଟ୍ର ରିପୋର୍ଟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଥିଲା। ସୂଚନାଯୋଗ୍ୟ, ନିକଟରେ କଂଗ୍ରେସ ନେତା କେ.ସି. ବେଣୁ ଗୋପାଳ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି କହିଥିଲେ ଯେ, ଭାରତ ଯୋଡୋ ଯାତ୍ରା ସମୟରେ ଦିଲ୍ଲୀର ଅନେକ ସ୍ଥାନରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଅଭାବ ରହିଥିଲା।