Advertisement
Categories: ଜାତୀୟ

ଦିଲ୍ଲୀର ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୨୪।୧: ଗୁଇନ୍ଦା ବିଭାଗରୁ ତଥ୍ୟ ମିଳିବା ପରେ ଦିଲ୍ଲୀ ପୋଲିସ ସମସ୍ତ ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଆତଙ୍କବାଦୀ ସଂଗଠନ ସିଖସ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ) ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀକୁ ଅନ୍ଧାର କରିଦେବାକୁ ଧମକ ଦେଇଛି। ଏଣୁ ବିଭିନ୍ନ ସବ୍‌-ଷ୍ଟେଶନ ଉପରେ ଆକ୍ରମଣ ହେବାର ଆଶଙ୍କା କରାଯାଉଛି।

ସ୍ପେଶାଲ ବ୍ରାଞ୍ଚର ଡିସିପି କହିଛନ୍ତି, ଆତଙ୍କବାଦୀ ସଂଗଠନର ସମର୍ଥକମାନେ ଦିଲ୍ଲୀରେ ୨୫ ଓ ୨୬ ତାରିଖରେ ବିଦ୍ୟୁତ ଯୋଗାଣ ରୋକିବାକୁ ଯୋଜନା କରୁଛନ୍ତି। ଦିଲ୍ଲୀକୁ ବିଦ୍ୟୁତ ଯୋଗାଉଥିବା ବିଏସ୍‌ଇଏସ୍‌ କମ୍ପାନୀକୁ ମଧ୍ୟ ଏସ୍‌ଏଫ୍‌ଜେଠାରୁ ଧମକ ମିଳିଥିବା କୁହାଯାଇଛି। ନିକଟରେ ଏହି ସଂଗଠନକୁ ସମର୍ଥନ କରୁଥିବା ଯୁବକମାନେ ପଞ୍ଜାବରେ ବହୁ ସଂଖ୍ୟାରେ ମୋବାଇଲ ଟାଉରକୁ ଭାଙ୍ଗି ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ବିଏସ୍‌ଇଏସ୍‌ ରାଜଧାନୀ, ବିଏସ୍‌ଇଏସ୍‌ ଯମୁନା ଓ ଟାଟା ପାଓ୍ବରରେ ବହୁ ସଂଖ୍ୟାରେ ସ୍ଥାନୀୟ ପୋଲିସ ନିଯୁକ୍ତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share