Categories: ଜାତୀୟ

ମହିଳା ଏମ୍‌ପିଙ୍କ ଡ୍ରେସ୍‌ ଚିରିିଦେଲା ପୋଲିସ!

ନୂଆଦିଲ୍ଲୀ,୧୬।୬:ନ୍ୟାଶନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୪ ଦିନ ହେବ ପଚରାଉଚରା କରାଯାଉଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ସାରା ଦେଶରେ ପ୍ରଦର୍ଶନ କରିଛନ୍ତି। ଇଡି ଅନୁସନ୍ଧାନ ଏବଂ କେନ୍ଦ୍ର ସରକାରଙ୍କ ମନୋଭାବ ବିରୋଧରେ ସେମାନେ ନିରନ୍ତର ବିରୋଧ କରୁଛନ୍ତି। ଜୁନ ୧୫ରେ ଦିଲ୍ଲୀରେ ପ୍ରଦର୍ଶନ ସମୟରେ ଦିଲ୍ଲୀ ପୋଲିସ କଂଗ୍ରେସ ଏମ୍‌ପି ଜୋଥିମାନିଙ୍କ ପୋଷାକ ଚିରି ତାଙ୍କ ଅଶ୍ଳୀଳ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ସେ ଏହି ଘଟଣାକୁ ନେଇ ନିଜ ଟୁଇଟର୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ତାଙ୍କର ଏହି ଟୁଇଟ୍‌କୁ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ଶେୟାର କରିଛନ୍ତି।

ଶେୟାର କରିଥିବା ଭିଡିଓରେ ଜୋଥିମାନି ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ପୋଲିସ କର୍ମଚାରୀ ତାଙ୍କ ପୋଷାକ ଚିରି ଜୋତା କାଢି ଫିଙ୍ଗି ଦେଇଛନ୍ତି। ପରେ ତାଙ୍କୁ ଅପରାଧୀ ପରି ଟାଣି ଟାଣି ନେଇଛନ୍ତି। ସେ ଏହି ଭିଡିଓ ଶେୟାର କରିବା ପରେ କଂଗ୍ରେସ କର୍ମୀ ଓ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ତାଙ୍କର ଏହି ଭିଡିଓ ଶେୟାର କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏନେଇ ଶଶି ଥରୁର କହିଛନ୍ତି, ଏହା କୌଣସି ଗଣତନ୍ତ୍ର ପାଇଁ ଅପମାନଜନକ। ଜଣେ ଲୋକ ସଭା ଏମ୍‌ପିଙ୍କ ସହ ଏଭଳି କାର୍ଯ୍ୟ ଘୃଣାର ବିଷୟ ଅଟେ। ଦିଲ୍ଲୀ ପୋଲିସର ଏହି କାର୍ଯ୍ୟକୁ ମୁଁ ନିନ୍ଦା କରୁଛି। ଏହି ପ୍ରସଙ୍ଗରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Share