Categories: ଜାତୀୟ

ବିମାନବନ୍ଦରରେ କଂଗ୍ରେସ ନେତା ଅଟକ

ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଦିଲ୍ଲୀ ବନ୍ଦରରେ ଅଟକ ରଖାଯାଇଛି। ସେ ଦିଲ୍ଲୀ ବିମାନବନ୍ଦରରୁ ଛତିଶଗଡ ଯାଉଥିବାବେଳେ ତାଙ୍କୁ ଅଟକ ରଖାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିମାନବନ୍ଦରରେ ବିରୋଧ ପ୍ରଦର୍ଶନ କରିଥିଲେ। ପୱନଙ୍କୁ ରାୟପୁର ନ ନେବାକୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଖେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ଲକ୍ଷ୍ନୌରେ ମଧ୍ୟ ଏହା ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ ପୱନଙ୍କୁ ବିମାନବନ୍ଦରରେ ଅଟକ ରଖାଯାଇଥିବା କୁହାଯାଉଛି। ଖେରା ରାୟପୁର ବିମାନରେ ଚଢିଥିଲେ, ତା’ପରେ ଲଗେଜ ଯାଞ୍ଚ କରିବାର ବାହାନା କରି ତାଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା।
କଂଗ୍ରେସ ଅଭିଯୋଗ କରିଛି ଯେ, ଆସାମ ପୋଲିସ ୱାରେଣ୍ଟ ନେଇ ବିମାନବନ୍ଦରରେ ପହଞ୍ଚିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଛନ୍ତି, ଏହା କେତେ ମନମୁଖୀ? ଆଇନର ନିୟମ ଅଛି କି? କେଉଁ ଆଧାରରେ ଏବଂ କାହା ଆଦେଶରେ ଏହା କରାଯାଉଛି?

Share