ଜାକ୍‌ଲିନ୍‌ଙ୍କୁ ତୃତୀୟ ସମନ

ନୂଆଦିଲ୍ଲୀ,୧୨।୯: କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ତୃତୀୟ ଥର ପାଇଁ ସମନ ଜାରି କରିଛି। ତାଙ୍କୁ ୧୪ ତାରିଖରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଅଗଷ୍ଟ ୨୯ ଏବଂ ସେପ୍ଟେମ୍ବର ୧୨ରେ ହାଜର ହେବା ପାଇଁ ଦୁଇଥର ସମନ ଜାରି ହୋଇଥିଲା। ଅଭିନେତ୍ରୀ କାର୍ଯ୍ୟବ୍ୟସ୍ତ ରହୁଥିବା ଦର୍ଶାଇ ସମନକୁ ଏଡ଼ାଇ ଦେଇଥିଲେ। କନ୍‌ମ୍ୟାନ ସୁକେଶଙ୍କ ଦ୍ୱାରା ତିହାର ଜେଲ୍‌ରୁ ବଟି ଆଦାୟ ର଼୍ୟାକେଟ ଚାଲିଛି। ଏଥିରେ ଜାକ୍‌ଲିନ୍‌ଙ୍କ ସମ୍ପୃକ୍ତ ସମ୍ପର୍କରେ ଜେରା କରିବାକୁ ଦିଲ୍ଲୀ ପୋଲିସ ଏହି ସମନ ଜାରି କରିଛି। ଏହି ମାମଲାରେ କିଛିଦିିନ ପୂର୍ବରୁ ଅନ୍ୟତମ ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ଇଓଡବ୍ଲ୍ୟୁ ଜେରା କରିଥିଲା। ସୁକେଶ ଜେଲ୍‌ରେ ଥାଇ ଭଏସ୍‌ ମଡ୍ୟୁଲେଶନ ସଫ୍ଟଓ୍ବେର ବ୍ୟବହାର କରି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠାରୁ ୨୧୫ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଫିସର ବୋଲି ପରିଚୟ ଦେବା ସହ ଅନ୍ୟ ସମୟରେ ଆଇନ ମନ୍ତ୍ରଣାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ ବୋଲି କହିଥିଲେ। ସେ ମହିଳାଙ୍କ ସ୍ବାମୀଙ୍କର ଜାମିନ କରାଇଦେବା ସହ ତାଙ୍କ ଔଷଧ ବ୍ୟବସାୟ ପୁଣିଥରେ ଚଳାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଅର୍ଥ ଆଦାୟ କରିଥିଲେ। ସୁକେଶଙ୍କ ସହ ଜାକ୍‌ଲିନ୍‌ଙ୍କ ଫଟୋ ପ୍ରସାରିତ ହେବା ପରେ ଉକ୍ତ ଅପରାଧରେ ଅଭିନେତ୍ରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଥିଲା। ସୁକେଶ ଅଭିନେତ୍ରୀଙ୍କ ସହ ଡେଟିଂରେ ଥିଲେ ବୋଲି ଇଡି ଅଧିକାରୀଙ୍କୁ କହିଥିଲେ।

Share