Categories: ଜାତୀୟ

ରେକର୍ଡ ଭାଙ୍ଗିଲା ବର୍ଷା: ବିମାନବନ୍ଦରରେ ଆଣ୍ଠୁଏ ପାଣି

ନୂଆଦିଲ୍ଲୀ, ୧୧।୯: ରାଜଧାନୀ ଦିଲ୍ଲୀରେ ୪୬ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି। ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅଧିକାଂଶ ଅଞ୍ଚଳ ବୁଡ଼ିଯାଇଥିଲା। ଶନିବାର ସକାଳେ ପୁଣି ପ୍ରବଳ ବର୍ଷା ଲାଗି ରହିଥିବାରୁ ୩ଟି ବିମାନ ବାତିଲ ହେବା ସହ ଅନ୍ୟ ୫ଟିକୁ ଜୟପୁର ଏବଂ ଅହମଦାବାଦକୁ ପଠାଇ ଦିଆଯାଇଥିଲା। ଦିଲ୍ଲୀ ବିମାନ ବନ୍ଦରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଠାରେ କାର୍‌ଗୁଡ଼ିକ ଅଧା ବୁଡ଼ିଯାଇଥିବା ଦେଖିବାକୁ ମିଳିଛି। ଲୋକେ ପାଣିରେ ପଶି ପ୍ରବେଶ ପଥ ନିକଟକୁ ଯାଉଛନ୍ତି। ବିମାନ ବନ୍ଦର ନିକଟରେ ଲକ୍‌ଜୁରି ହୋଟେଲ ଥିବା ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। କେବଳ ବିମାନବନ୍ଦର ନୁହେଁ ଦିଲ୍ଲୀର ମୋତିବାଗ୍‌ ଏବଂ ଆର୍‌କେ ପୁରମ୍‌, ମଧୁ ବିହାର, ହରି ନଗର, ରୋହତକ ରୋଡ୍‌, ବଦରପୁର, ସୋମ୍‌ ବିହାର, ରିଙ୍ଗ୍‌ରୋଡ୍‌, ବିକାଶ ମାର୍ଗ, ସଙ୍ଗମ୍‌ ବିହାର ସମେତ ବିଭିନ୍ନ ଅଞ୍ଚଳ ବର୍ଷାପାଣିରେ ବୁଡ଼ିଯାଇଛି।
୧୯୭୫ ପରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ବର୍ଷା ୧୦୦୦ ମିଲିମିଟର ଅତିିକ୍ରମ କରିଛି। ବହୁ ରାସ୍ତା ପାଣିରେ ବୁଡ଼ିରହିବା ସହ ଖାଲୁଆ ଅଞ୍ଚଳରେ ଘର ଭୁଶୁଡ଼ି ପଡ଼ିଛି। ଭାଜପା ନେତା ତାଜିନ୍ଦର ପାଲ୍‌ ସିଂ ବଗା ରାସ୍ତାରେ ଡଙ୍ଗା ଚଳାଇଥିଲେ। ରାସ୍ତାରେ ଜମିଥିବା ବର୍ଷାପାଣିରେ ପିଲାମାନେ ପହଁରୁଥିବା ଦେଖାଯାଇଛି। ସଫଦରଜଙ୍ଗରେ ୨୪ ଘଣ୍ଟାରେ ସର୍ବାଧିକ ୯୪.୭ ମିଲିମିଟର ବର୍ଷା ହୋଇଛି। ଅଧିକ ବର୍ଷା ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବନିଂ ଜାରି କରିଛି।

Share