Categories: ଜାତୀୟ

ସାମ୍ନାକୁ ଆସିଲା ଦିଲ୍ଲୀ ନାବାଳିକା ବଳାତ୍କାର ଘଟଣାର ସତ୍ୟତା

ନୂଆଦିଲ୍ଲୀ,୨୨।୯: ଗତ ୨ ତାରିଖରେ ଜଣେ ୯ ବର୍ଷୀୟା ଝିଅକୁ ଦିଲ୍ଲୀର କଣ୍ଟେନମେଣ୍ଟ ଅଞ୍ଚଳରେ ବଳାତ୍କାର କରାଯାଇଥିଲା। ବଳାତ୍କାର ବେଳେ ଅଣ ନିଶ୍ୱାସ ହୋଇ ପୀଡ଼ିତା ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟରେ କୁହାଯାଇଛି। ମୁଖ୍ୟ ଅଭିଯୁକ୍ତ ପୂଜକ ରାଧେ ଶ୍ୟାମ ପୂର୍ବରୁ ମଧ୍ୟ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟରେ ଦର୍ଶାଇଛି ପୋଲିସ। ଅଭିଯୁକ୍ତ ପୂଜକଙ୍କ ଫୋନରେ ନିୟମିତ ପର୍ନ ଦେଖୁଥିଲେ। ତାଙ୍କ ଫୋନର ସର୍ଚ୍ଚ ହିଷ୍ଟ୍ରିରୁ ୧୩୦୦ ପର୍ନ ଓ୍ବେବସାଇଟ୍‌ ଆକସେସ୍‌ ହୋଇଥିବା ଜଣାପଡ଼ିଛି।

ଚାର୍ଜଶିଟ୍‌ରେ ଅଭିଯୁକ୍ତ ରାଧେ ଶ୍ୟାମ, କୁଲଦୀପ ସିଂ, ସଲିମ ଅହମ୍ମଦ ଓ ଲକ୍ଷ୍ନୀ ନାରାୟଣଙ୍କ ବିରୋଧରେ ବଳାତ୍କାର, ଜବରଦସ୍ତି ଅଟକ ରଖିବା, ହତ୍ୟା, ପ୍ରମାଣ ନଷ୍ଟ ଓ ପୋକ୍‌ସୋ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତାଙ୍କ ପରିବାର ଦିଲ୍ଲୀ କଣ୍ଟେମେଣ୍ଟର ପୁରାନା ନାନଗଲ ଅଞ୍ଚଳରେ ରୁହନ୍ତି। ତାଙ୍କ ଘର ନିକଟସ୍ଥ ଶବଦାହ କେନ୍ଦ୍ରର ପୂଜକ ଥିଲେ ମୁଖ୍ୟ ଅଭିଯୁକ୍ତ ରାଧେଶ୍ୟାମ। ଅଗଷ୍ଟ ୨ ତାରିଖରେ ପୀଡ଼ିତା ପାଣି ନେବା ପାଇଁ ଶବଦାହ କେନ୍ଦ୍ରକୁ ଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିଲେ ଶ୍ୟାମ। ଯୌନ ନିର୍ଯାତନା ଦେବା ବେଳେ ପୀଡ଼ିତା ଚିତ୍କାର କରିଥିଲେ। ଏଣୁ ତାଙ୍କ ମୁହଁକୁ ମାଡ଼ି ବସିଥିଲେ ଅଭିଯୁକ୍ତ। ଫଳରେ ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଥିଲେ ୯ ବର୍ଷୀୟା ପୀଡ଼ିତା। ଅନ୍ୟ ଅଭିଯୁକ୍ତମାନେ ପୀଡ଼ିତାଙ୍କ ହାତ ମାଡ଼ି ବସିଥିଲେ।

ତେବେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ମା’ଙ୍କୁ ପୀଡ଼ିତାଙ୍କ ମୃତଦେହ ଦେଖାଇ କହିଥିଲେ ପାଣି ପିଇଲା ବେଳେ ବିଦ୍ୟୁତ୍‌ ଆଘାତ କାରଣରୁ ତାଙ୍କ ମୃତ୍ୟୁ ହୋଇଛି। ଆଉ ପୋଲିସକୁ ଜଣାଇବାକୁ ମନା କରିଥିଲେ। କାରଣ ଶବ ବ୍ୟବଚ୍ଛେଦ ବେଳେ ପୀଡ଼ିତାଙ୍କ ବିଭିନ୍ନ ଅଙ୍ଗ ଚୋରି ହୋଇପାରେ। ଏଣୁ ତୁରନ୍ତ ଶବଦାହ କରିବାକୁ ପରିବାରବର୍ଗ ଉପରେ ଚାପ ପକାଇଥିଲେ। କିନ୍ତୁ ପୀଡ଼ିତାଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେବା ପରେ ସାମ୍ନାକୁ ଆସିଥିଲା ଜଘନ୍ୟ ଅପରାଧ।

Share