ଦିଲ୍ଲୀରେ କମୁଛି କରୋନା ଦୈନିକ ସଂକ୍ରମଣ: ହେଲେ ଦେଶର ଏହି ଅଞ୍ଚଳ ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରୁ ଏବେ ଆଶ୍ୱସ୍ତିକର ଖବର ମିଳୁଛି। ବର୍ତ୍ତମାନ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ବି କମ୍‌ ରହୁଛି। ଫଳରେ ଦିଲ୍ଲୀବାସୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଦିଲ୍ଲୀରେ ଗତ ୨୪ଘଣ୍ଟାରେ ମୋଟ ୯୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧ଜଣ ସୁସ୍ଥ ଓ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ରାଜ୍ୟରେ ସରକାର ଏବେ ଅନ୍‌ଲକ୍‌ ଘୋଷଣା କରିଛନ୍ତି। କରୋନା ପ୍ରୋଟୋକଲ୍‌ ନିୟମକୁ ମାନି ସମସ୍ତ ଦୋକାନ ବଜାର ଖୋଲାଯାଇଛି। ସେହିପରି ଦିଲ୍ଲୀ ନିକଟସ୍ଥ ଗୌତମ ବୁଦ୍ଧ ନଗର ଓ ଗାଜିଆବାଦରେ ମଧ୍ୟ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ଏହି ୨ଟି ଅଞ୍ଚଳରେ ଗୋଟିଏ କରୋନା ମାମଲା ସାମ୍ନାକୁ ଆସିଛି।

ଅନ୍ୟପଟେ ଦିଲ୍ଲୀରେ ଏବେ ସଂକ୍ରମଣ କମିଥିବା ବେଳେ ଏମିତି କିଛି ରାଜ୍ୟ ଅଛି ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି। ଏଥିରେ ସବୁଠାରୁ ଆଗରେ ରହିଛି କେରଳ ଓ ମହାରାଷ୍ଟ୍ର। ଏହି ରାଜ୍ୟଗୁଡ଼ିକରେ ଲଗାତର ଦୈନିକ ସଂକ୍ରମଣ ୧୦ହଜାରରୁ ଊର୍ଦ୍ଧ୍ୱ ରହୁଛି। ଗତ ୨୪ ଘଣ୍ଟାରେ କେରଳରେ ୧୨,୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ୧୨୪ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମହାରାଷ୍ଟ୍ରରେ ୯,୧୯୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୨ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଛି। ଯଦି ଏହି ୨ ରାଜ୍ୟରେ ଏଭଳି ସ୍ଥିତି ଜାରି ରୁହେ ତେବେ ତୃତୀୟ ଲହର ଖୁବ୍‌ଶୀଘ୍ର ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share