Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ଚାର୍ଜଶିଟ୍‌ରେ ୟେଚୁରୀ-ଯୋଗେନ୍ଦ୍ର-ଜୟତୀଙ୍କ ନାମ

ନୂଆଦିଲ୍ଲୀ, ୧୩।୯: ଫେବୃୟାରୀ ୨୩ରୁ ୨୬ ମଧ୍ୟରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ଚାର୍ଜଶିଟ୍‌ରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତୀ ଘୋଷ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦଙ୍କ ନାମ ରହିଛି। ଚାର୍ଜଶିଟ୍‌ରେ ଫିଲ୍ମ ନିର୍ମାତା ରାହୁଲ ରାୟଙ୍କ ନାମ ସମେତ ଅନ୍ୟମାନଙ୍କ ନାମ ରହିଛି। ଅଭିଯୁକ୍ତମାନେ ଦଙ୍ଗାର ଷଡ଼ଯନ୍ତ୍ର ରଚିଥିବା ପୋଲିସ କହିଛି। ଏବେ ଏହାକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି। ଭାଜପା ଜାଣିଶୁଣି ଏଭଳି କରିଥିବା ୟେଚୁରୀ କହିଛନ୍ତି। ଦିଲ୍ଲୀ ପୋଲିସକୁ କେନ୍ଦ୍ର ସରକାର ଆଦେଶ ଦେଇ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦଙ୍ଗାକୁ ଏକ ରାଜନୈତିକ ରୂପ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ କରୁଥିବା ସେ କହିଛନ୍ତି। ଦିଲ୍ଲୀ ପୋଲିସ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ କାମ କରୁଥିବା ୟେଚୁରୀ ଟୁଇଟ୍‌ କରି କହିଛନ୍ତି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରଶ୍ନ ଏବଂ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ଭାଜପା ଭୟ କରି ଏଭଳି ହୀନ ଚକ୍ରାନ୍ତ କରିଥିବା ସେ ଅଭିଯୋଗ ଆଣିଛନ୍ତି। ୩ ଜଣ ଛାତ୍ରଙ୍କ ବୟାନ ଅନୁସାରେ ୟେଚୁରୀ,ଯୋଗେନ୍ଦ୍ର,ଜୟତୀ, ଅପୂର୍ବାନନ୍ଦ ଏବଂ ରାହୁଲଙ୍କ ନାମକୁ ଚାର୍ଜଶିଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିବା କୁହାଯାଉଛି।

Share