Categories: ଜାତୀୟ

କୋଟିଏ ଲୁଟି ଲକ୍ଷେ ଦାନ କଲେ ମନ୍ଦିରକୁ

ନୂଆଦିଲ୍ଳୀ,୧୩।୩: ୧.୧ କୋଟି ଟଙ୍କା ଚୋରି ଅଭିଯୋଗରେ ଦିଲ୍ଳୀ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୩ ତାରିଖର ଘଟଣା। ଦିଲ୍ଲୀ ରୋହିଣୀରେ ଥିବା ଏକ ଗହଣା ଦୋକାନର ଦୁଇ କର୍ମଚାରୀ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଚାନ୍ଦିନୀ ଚୌକ ଅଞ୍ଚଳରେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ପାଖରେ ଥିବା ୧.୧ କୋଟି ଟଙ୍କା ଛଡାଇ ଫେରାର ହୋଇଯାଇଥିଲେ।

ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲା। ଫୁଟେଜ ଅନୁସାରେ ଦୁର୍ବୃତ୍ତମାନେ ଲୁଟ୍‌ ଟଙ୍କାରୁ ୧ ଲକ୍ଷ ଟଙ୍କା ମନ୍ଦିରକୁ ଦାନ କରିଥିବା ଉତ୍ତର ଦିଲ୍ଳୀ ଡିସିପି ସାଗର ସିଂ କାଲସି କହିଛନ୍ତି। ପୋଲିସ ତାଙ୍କଠାରୁ ଲୁଟ୍‌ ଟଙ୍କା ଜବତ କରିଥିବାବେଳେ ଲୁଟ୍‌ରେ ଗହଣା ଦୋକାନର ପୂର୍ବତନ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ପୋଲିସ ସୂଚନାନୁସାରେ ଦୁର୍ବୃତ୍ତ ଆଉ କିଛି ଟଙ୍କା ଅନ୍ୟ ମନ୍ଦିରରେ ଦାନ କରିବା ନେଇ ଯୋଜନା ମଧ୍ୟ କରିଥିଲେ।

Share