Categories: ଜାତୀୟ

ନୂଆ ଗାଇଡ୍‌ଲାଇନ ସହ ରାଜଧାନୀରେ ଖୋଲିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,୩୦ ।୮: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୧ ବର୍ଷ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଏକ ପ୍ରକାର ବନ୍ଦ ରହିଛି କହିଲେ ଚଳେ । ଇତିମଧ୍ୟରେ କରୋନାର ଦ୍ୱିତୀୟ ଲହର କମି ଯାଇଥିବା ବେଳେ ତୃତୀୟ ଲହର ଆରମ୍ଭ ହେବାକୁ ଗଲାଣି । ତଥାପି ଭୟର ବାତାବରଣ ମଧ୍ୟରେ ଏବେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଉଦ୍ୟମ କରାଯାଇଛି । ସେପ୍ଟେମ୍ବର ୧ରୁ କେବଳ କେବଳ ନବମରୁ ଦ୍ୱାଦଶ ଶ୍ରେଶୀ ପର୍ଯ୍ୟନ୍ତ ସ୍କୁଲ , କଲେଜ, କୋଚିଂ ଇନଷ୍ଟଚ୍ୟୁଟ ଆଦି ଖୋଲି ପାରିବ ବୋଲି ସରକାର କହିଛନ୍ତି । ସ୍କୁଲରେ ସିପ୍ଟ ହିସାବରେ ମାତ୍ର ୫୦ ପ୍ରତିଶତ ପିଲାଙ୍କୁ ନେଇ ପାଠପଢାଯିବ । ଏଥିପାଇଁ ନୂଆ ଗାଇଡ ଲାଇନ ବି ଜାରି କରାଯାଉଛି । ଯେମିତିକି ସ୍କୁଲର ଏଣ୍ଟ୍ରି ଗେଟରେ ଥର୍ମାଲ ସ୍କାନର ଜରୁରୀ । ସାନିଟାଇଜର ବ୍ୟବହାର କରିବା ଓ ପିଲାମାନଙ୍କ ମଧ୍ୟରେ ବ୍ୟବଧାନ ସହ ମାସ୍କ ଜରୁରୀ । ଉଭୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀମାନେ ମାସ୍କ ପିନ୍ଧିବା ଜରୁରୀ । ସ୍କୁଲ ପରିସରରେ ଏକ କ୍ୱାରାଣ୍ଟାଇନ ସେଣ୍ଟର ରହିବ । ଆବଶ୍ୟକ ପଡିଲେ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ଓ ଶିକ୍ଷକ କିମ୍ବା ଅନ୍ୟ କୌଣସି କର୍ମଚାରୀ ସେଠାରେ ରହିପାରିବେ । ଅଭିଭାବକଙ୍କ ବିନା ଅନୁମତିରେ ପିଲାମାନେ ସ୍କୁଲ ଆସିପାରିବେ ନାହିଁ । ଦୁଇଟି ସିପ୍ଟ ମଧ୍ୟରେ ଅତିକମ୍‌ରେ ଏକ ଘଣ୍ଟା ବ୍ୟବଧାନ ରହିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷାର୍ଥୀ ବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ନାହିଁ । ସ୍କୁଲ ପରିସର ସଫାସୁତୁରା ରହିବା ସହ ପିଲାମାନଙ୍କ ଟିଫିନ ଖାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଯେମିତିକି ଗୋଟିଏ ସ୍ଥାନରେ ଗହଳି ନ ହୁଏ ।

Share