Categories: ଜାତୀୟ

ଦିଲ୍ଲୀ ସେବା ବିଲ୍‌: ବିଜେଡିକୁ ଚିଦାମ୍ବରମ୍‌ଙ୍କ ସମାଲୋଚନା

ନୂଆଦିଲ୍ଲୀ,୩।୮: ଦିଲ୍ଳୀ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରର ବିଲ୍‌କୁ ବୁଧବାର ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସମର୍ଥନ ଘୋଷଣା କରିଛି। ଏହା ପୂର୍ବରୁ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ଏବଂ ଆନ୍ଧ୍ରର ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ସମର୍ଥନ ଘୋଷଣା କରିସାରିଛନ୍ତି। ୨୦୧୮ରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଅଲଗା ହୋଇଥିବା ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ମୋଦି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ବିରୋଧ କରିବ ବୋଲି ଘୋଷଣା କରିଛି। ଟିଡିପିର ଲୋକ ସଭାରେ ୩ ଓ ରାଜ୍ୟ ସଭାରେ ଜଣେ ସଦସ୍ୟ ଅଛନ୍ତି। ଏହି ସମର୍ଥନ ଏନ୍‌ସିଟି ଦିଲ୍ଳୀ ସଂଶୋଧନ ବିଲ, ୨୦୨୩କୁ ଗୃହୀତ କରାଇବାରେ କେନ୍ଦ୍ରକୁ ବଳ ଦେବ ବୋଲି କୁହାଯାଉଛି।
ଅନ୍ୟପକ୍ଷେ ଦିଲ୍ଲୀର ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ଏଥିଯୋଗୁ ଶକ୍ତ ଝଟ୍‌କା ଲାଗିଛି। ଏଏପି ଏମ୍‌ପି ରାଘବ ଚଢ଼ା କହିଛନ୍ତି, ଏହି ଦଳଗୁଡ଼ିକର କିଛି ତ ମଜବୁରି ଥିବ। ଏମିତି ବିନା କାରଣରେ କେହି ବଓ୍ବେଫା ହୁଅନ୍ତି ନାହିଁ। ଇଚ୍ଛା ହେଉଛି ବହୁତ ସତ କହିବାକୁ। କିନ୍ତୁ ସବୁ କହିହେଉ ନାହିଁ।
ସେହିପରି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଦିଲ୍ଲୀ ସେବା କର୍ତ୍ତୃପକ୍ଷ ବିଲ୍‌କୁ ବିଜେଡି ଏବଂ ଓ୍ବାଇଏସ୍‌ଆର୍‌ସିପିର ସମର୍ଥନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଚିଦାମ୍ବରମ୍‌ କହିଛନ୍ତି, ବିଧେୟକକୁ ଭାଜପା ଏମ୍‌ପିଙ୍କ ସମର୍ଥନର କାରଣ ବୁଝି ହେଉଛି। କିନ୍ତୁ ଏହି ଦୁଇ ଦଳ ବିଲ୍‌କୁ ସମର୍ଥନ କରିବା ପଛର କାରଣ ବୁଝିହେଉନାହିଁ । ବିଜେଡି ଏବଂ ଓ୍ବାଇଏସ୍‌ଆର୍‌ସିପି ଏଥିରେ ମେରିଟ୍‌ ପାଇଛନ୍ତି କି ବୋଲି ଚିଦାମ୍ବରମ୍‌ ଟୁଇଟ୍‌ କରିଛନ୍ତି।

Share