ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ ୧୬ ବର୍ଷର ନାବାଳିକାଙ୍କୁ ଛୁରି ଭୂଷି ହତ୍ୟା କରିଥିବା ମାମଲରେ ଅଭିଯୁକ୍ତ ସାହିଲଙ୍କୁ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଦିଲ୍ଲୀ ପୋଲିସ ସାହିଲଙ୍କୁ ସକାଳ ୧୦ଟାରେ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଛି। ଏବେ ପୋଲିସ ସାହିଲକୁ ପଚରା ଉଚରା କରିବ। ଗୋଟିଏ ଦିନ ପୂର୍ବରୁ ପୋଲିସ ଅଭିଯୁକ୍ତ ସାହିଲକୁ ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଗିରଫ କରିଥିଲା।
ପୋଲିସ ସୂତ୍ରର ସୂଚନା ଅନୁଯାୟୀ ସାହିଲ ନାବାଳିକାଙ୍କୁ ହତ୍ୟା କରିବା ପରେ ଛୁରୀକୁ ରିଠାଲାର ଖୋଲା ପଡ଼ିଆରେ ଫିଙ୍ଗି ଦେଇଥିଲା। ସୋମବାର ରାତିରେ ପୋଲିସ ଟିମ ସେଠାକୁ ଛୁରୀ ଜବତ କରିବାକୁ ଯାଇଥିଲେ ମଧ୍ୟ ଛୁରୀ ଉଦ୍ଧାର ହୋଇପାରି ନାହିଁ। ଏବେ ପୋଲିସ ଟିମ ପୁଣିଥରେ ଛୁରୀ ଉଦ୍ଧାର କରିବାକୁ ଯିବ।
ସାହିଲ ତାଙ୍କ ନାବାଳିକା ପ୍ରେମିକାଙ୍କୁ ହତ୍ୟା କରିବା ପରେ ପଳାଇ ଯାଇଥିଲେ। ସେ ୟୁପିର ବୁଲନ୍ଦସହରକୁ ଯାଇ ମାଉସୀ ଘରେ ଲୁଚି ରହିଥିଲେ। ପଳାତକ ସମୟରେ ପୋଲିସ ତାଙ୍କୁ ଧରିବା ପୂର୍ବରୁ ସାହିଲ ଟିଭିରେ ତାଙ୍କ ଅପରାଧର ଖବର ଦେଖୁଥିଲେ। ସେ ଜାଣିବାକୁ ପାଇଲେ ଯେ ଏହି ହତ୍ୟାକାଣ୍ଡ ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି।